STORYMIRROR

Sunita Kar

Abstract Classics Others

4  

Sunita Kar

Abstract Classics Others

ଭିଜା ପଣତ

ଭିଜା ପଣତ

1 min
21


ମାଆର ପଣତ କାନିର ଛାଇ 

ସ୍ୱପ୍ନରେ ଖାଲି ଆସୁଥିଲା,

ଜୀବନ ନିଦାଘରେ ହେଉଥିଲି ଛଟପଟ 

ଉତ୍ତପ୍ତ ସିକତାରେ ଭରାଥିଲା ଚଲାପଥ,

ଧାଇଁ ଯାଇ ଦଣ୍ଡେ ଅଟକି ଯାଆନ୍ତି କି !

ତା ପରଶେ ହୁଅନ୍ତା ତୃପ୍ତ 

ଅଶାନ୍ତ ଅଝଟ ମନ ମୋର।


ମନେପଡେ ସ୍କୁଲ୍ କଲେଜ୍ ବେଳ 

ହାତରେ କିଛି ଫୁଙ୍ଗୁଳା ଖାତା ବହି 

ମୋ' ପହଁରିଲା ଆଖିରୁ 

ବୁଝିପାରେ ମାଆ,

ଆଉଁସିଦେଇ କହେ 

ଆର ମାସ କିଣିଦେବି, 

ବ୍ୟାଗ୍ ଟିଏ ତୋ’ ଲାଗି।

କେତେ “ଆର ମାସ “ ଯାଇଛି ବହି 

ସମୟ ନଦୀରେ,

 ଛୋଟ ମୋଟ ଆଶାର ବାଲିଗରଡା 

 ପଡ଼ିଛି ବିଛୁଡି 

 ସେ ନଦୀ ପଠାରେ।


କାହୁଁ ଥିଲା ଲେଲିହାନ ଦଙ୍ଗା 

ଜାଳି ପୋଡ଼ି କଲା ଛାରଖାର 

ଲେହିନେଲା ତା' ଲହଲହ ଜିହ୍ବାରେ 

ଭବିଷ୍ୟତ ମୋର, 

ଆଉ ତା‘ ସାଥିରେ 

ମୋ ମାଆର ଭଙ୍ଗା ତୁଟା ସ୍ବପ୍ନ ମୁଠେ।


କଲମ ଛଡ଼ାଇ ନେଇ

ଧରାଇ ଦେଇଥିଲେ ବନ୍ଧୁକର ନଳୀ 

ବିବଶ ପ୍ରାଣ ମୋର,

ପାରିଲାନି ମୁକୁଳି 

ଚାହୁଁ ଚାହୁଁ ଜଳିଗଲି 

ଆପଣା ଦୃଷ୍ଟିରେ ଆପେ, 

ମମତା ଵୃଷ୍ଟିରେ ଭିଜା 

ମାଆର ପଣତ କାନି 

ନଥିଲା ମୋ ପାଶେ।


ଆୟୁଧ ଥିଲି ମୁଁ 

କ୍ରୁର ମାନବର ସ୍ବାର୍ଥ ସାଧନର 

ଜୀର୍ଣ୍ଣ ବସ୍ତ୍ର ପ୍ରାୟେ,ପରିତ୍ୟକ୍ତ 

ମୋ ଅପ୍ରାଣ ଶରୀର 

ଦଗ୍ଧ ଆତ୍ମାର ଜ୍ଵଳନ,

ଶୀତଳ ବାହୁ ମେଲି 

ଆଲିଙ୍ଗନ କରିଛି ତଟିନୀ 

ଭସାଇ ନେବାକୁ ତା ‘ ସାଥେ 

ମୁକ୍ତିର ବିଶାଳ ପାରାବାର।


ଝରୁଛି ଟିପି ଟିପି ଟୋପା ବରଷାର 

ସତେକି ନୟନ-ଜଳ ମୋ' ମାଆର, 

ବଢାଇ ଦେଇ ତା’ ଓଦା ଅଞ୍ଚଳ 

ପୋଛୁଥାଏ, 

ମୋ’ କ୍ଷତାକ୍ତ ଆତ୍ମାର 

ଯେତେ ସବୁ ଅକୁହା ଅଦେଖା ଦୁଃଖ,

ଆହାଃ କି ସୁଖ !

ମମତା ବୃଷ୍ଟିରେ ଏ ଭିଜା ପଣତ।

         

                


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract