କୁମାର ପୂର୍ଣ୍ଣିମାର ସକାଳ
କୁମାର ପୂର୍ଣ୍ଣିମାର ସକାଳ
ଛାପିଛାପିକା ମୁହଁ ଅନ୍ଧାରର
କାକର ଭିଜା ସକାଳ,
ଆଉଁସିଦିଏ ଆଲ୍ହାଦେ,
ଉଠେଇ ଦିଏ ବୁଢୀମା’
ରଟୁଥାଏ ଗୋଟିଏ କଥା-
ଗାଧୋଇ ପଡି ନୂଆଟେ ପିନ୍ଧ
ଖଇ ଆଞୁଳାଏ ଟେକିଦେ
ତପନଙ୍କୁ ଚଉରାମୁଳେ,
ଆଜି ପରା କୁମାର ପୂର୍ଣ୍ଣିମା !
ଓଃ କି କଷ୍ଟ !
ସକାଳୁ ଗାଧୁଆ
ନଦୀ କି ପୋଖରୀରେ।
ସହରରୁ ଆସିଥିଲା ଛୁଟି
ଦେଖିବ ବୋଲି
ଗାଁ’ର ଛନଛନ ସବୁଜିମା,
କଳକଳ ହାସିନୀ ଘୋଡାହଡ ନଈ
ମନ୍ଦିର ପାଖ ପୋଖରୀର
ଥମଥମ ଅଭିମାନିଆ ମୁଖ,
କିଆ କେତକୀର ମହକ,
ହେଲେ-
ଏ ସକାଳ ଉଠା
ଭାରିପଡିଲା ସବୁ ସୁଖ ସମ୍ଭାରକୁ।
ମଳମଳ ଆଖି ,
ଦି’ ଢାଳ ପାଣିରେ
ଗାଧୁଆପର୍ବଟି ସରେ
କାକସ୍ନାନ ସୂତ୍ରରେ ।
ଗଳେଇପଡି ନୂଆ ଫ୍ରକ୍ ଟିକୁ,
ଚଉରାମୂଳେ ଥୋଇଦେଲେ
ଉଖୁଡା ଆଞୁଳାଏ
ପାକୁଆ ପାଟିରେ ବୁଢୀମା’ ହସେ
ତା’ ହସରେ ଭରାଥାଏ
ସଜଫୁଟା ମଲ୍ଲି ପରି
ପାଛିଆଏ କଇଲାଣ,
ମୁରୁକି ମୁରୁକି ମାରୁଥାଏ ଆଖିଠାର
କୁମାରପୂର୍ଣମୀର ଆଳସୀ ସକାଳ ।