STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

କିଏ ବା ହିସାବ ରଖିଛି !

କିଏ ବା ହିସାବ ରଖିଛି !

1 min
166

ଅନେକ ଥର ଭାଙ୍ଗିଛି ଏ କାଚ

ତୁମ ପଥର ମାଡ଼ରେ

କେତେ ଚିହ୍ମ କେତେ ଦାଗ

କେତେ ଯେ ଅଲିଭା କ୍ଷତ

ଆବୃତ କରି ରଖିଛି 

ମୋ ସ୍ୱଚ୍ଛତାର ସତ୍ୟପାଠକୁ

ତୁମ ମିଛ ନ୍ୟାୟପାଳିକାରେ

କିଏ ବା ହିସାବ ରଖିଛି

କେତେ ଥର ଭାଙ୍ଗିଛି

ଓ କେତେ ଥର ଯୋଡ଼ିଛି !


ଅନେକ ଥର ଜୁଆର ଉଠିଛି

ଏ ଶାନ୍ତ ସମୁଦ୍ରରେ

ତୁମ ସନ୍ଦେହ ଓ ଅବିଶ୍ବାସର

ଭୟାନକ ଭୂମିକମ୍ପରେ

ବାରମ୍ବାର ଅପଦସ୍ତ ହୋଇଛି

ନିର୍ଦ୍ଦୋଷୀ ଉପକୂଳ

କେବେ ଧ୍ଵଂସର ତାଣ୍ଡବ 

କିମ୍ବା ଅନାହତର ବିଲୁପ୍ତ ପ୍ରଣବ

କିଏ ବା ହିସାବ ରଖିଛି

କେତେ ଥର ହଜିଛି

ଓ କେତେ ଥର ମଜ୍ଜିଛି !


ଅନେକ ଥର ଏ ଦରଜା ଭାଙ୍ଗିଛି

କେତେ ଚିହ୍ନା ଓ ଅଚିହ୍ନା ଆଘାତରେ

କେବେ ଖିଆଲି ମନର ବୋକାମୀର

ଅସତର୍କ ହାଲୁକା ଧକ୍କାରେ

କିମ୍ବା ନିଜ ଲୁଟିନେବାର ଲାଳସାକୁ

ଚରିତାର୍ଥ କରିବାକୁ ଚାହୁଁଥିବା

କିଛି ଶକ୍ତ ପ୍ରହରରେ

ବାଟ ଭୁଲି ଧସେଇ ଆସିଥିବା

କିଛି ଅଭ୍ୟସ୍ତ ଝଡ଼ରେ

କିମ୍ବା ଈର୍ଷାର କୀଟ ଦଂଶନରେ

କିଏ ବା ହିସାବ ରଖିଛି

କେତେ ଥର ଖୋଲିଛି

ଓ କେତେ ଥର ଭାଙ୍ଗିଛି !


ଅନେକ ଥର ଏ ଗୋଡ଼ ଖସିଛି

ବୟସର ଖସଡ଼ା ତୁଠରେ

ଆକାଶର ସ୍ୱପ୍ନରେ ହଜିଯାଇ

ମାଟିକୁ ପଦାଘାତ କରି

ଯୌବନର ଆଶାୟୀ କୁଟୀରେ

ଜହ୍ନକୁ ପଣବନ୍ଦୀ କରି

ଫୁଲର ସମ୍ମୋହନେ କେବେ

ବର୍ଷାର ଆଗମନେ କେବେ

ଶୀତର ଉଷ୍ମତାରେ କେବେ

ବୈଶାଖର ସ୍ବେଦ ବିନ୍ଦୁରେ କେବେ

କିଏ ବା ହିସାବ ରଖିଛି

କେତେ ଥର ଝୁଣ୍ଟିଛି

ଓ କେତେ ଥର ଭାଙ୍ଗିଛି !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract