ଭିଟା ମାଟି
ଭିଟା ମାଟି
ପେଟ ଚାଖଣ୍ଡକ ପୂରେ ନାହିଁ ମୋର
ଅନ୍ନ ଚିନ୍ତା ଚମତ୍କାର
ଓଳିଏ ଖାଇଲେ ଓଳିଏ ଉପାସ
ଏହି ଚିତ୍ର ଜୀବନର ।
ସମ୍ବଳ ବୋଲିଣ ଚଉଦ ପୁରୁଷ
ଚାଳଘର ଭିଟାମାଟି
ପେଟକୁ ମୁଠାଏ ଦାନା ଯୋଗାଏ ମୁଁ
ଦିନସାରା ଖଟି ଖଟି ।
ଦେହକୁ ଖଣ୍ଡିଏ କନା ମିଳେ ନାହିଁ
ମନ ମୁତାବକ ମୋତେ
ଭିଟାମାଟି ମୋର ବାନ୍ଧି ରଖନ୍ତା ବା
କେତେ ଦିନ ଆଉ ମୋତେ ।
ଅଭାବ ମୋହର ହୋଇବ ପୂରଣ
ଦେଶାନ୍ତରେ ଚାଲିଗଲେ
ମନେ ରଖି ମୁହିଁ ଆଶା ଅସୁମାରୀ
ଦେଶାନ୍ତରୀ ହେଲି ଭଲେ ।
କୁଆଡୁ ଆସିଲା ମହାମାରୀ ମାଡି
ଥର ହର ହେଲା ବିଶ୍ବ
ତ୍ରାହି ପାଇଲା ନି କଳା ଗୋରା କେହି
ଧନୀକ ହୋଇଲା ନିସ୍ବ ।
କଳ କାରଖାନା ନିରିମାଣ କାର୍ଯ୍ଯ
ସବୁ ବନ୍ଦ ହୋଇଗଲା
ଯେଉଁଠାରେ ମୁହିଁ କାମ କରୁଥିଲି
ସେଠାରେ ଝୁଲିଲା ତାଲା ।
ଭଲାରେ କରୋନା ଭଲା ତୋ କଷଣ
ଦାନା ପାଣି ଛଡାଇଲୁ
ଭୋକ ଉପାସରେ ସଢାଇ ମାରିଲୁ
ଏତେ ହନ୍ତତସନ୍ତ କଲୁ ।
ଭିଟାମାଟି ମୋର ଡାକ ଦେଇ କହେ
ଆ ମୋ କୋଳକୁ ଆ
ଏଇଠି ଜନମ ଏଇଠି ମରଣ
ଭିଟାମାଟି ତୋର ସାହା ।