ନଈ ବନାମ ଜୀବନ
ନଈ ବନାମ ଜୀବନ
ଅଦେଖା ଅନ୍ଧାର
ପର୍ବତ କନ୍ଦରୁ
ଛଟପଟ ହୋଇ ବାହାରିଗଲି
ଆଲୁଅ ଦେଖିବା ଆଶାରେ ।
ଜଣା ତ ନଥିଲା
ରାସ୍ତାଟା ଏତେ ଆବଡା ଖାବଡା
ଭରା ପୁଣି କଣ୍ଟା ଝଣ୍ଟା
ଆଗକୁ ଆଗକୁ ଚାଲିଲି ମାଡି
କୁଳୁ କୁଳୁ ସ୍ବରରେ ଗୀତ ଗାଇ ଗାଇ ।
ଆଖିରେ ଆଖିଏ ଆଶା,
ଛୁଇଁଲି ସମତଳ
ଲାଗିଲା ସତେକି ନିଷ୍କଣ୍ଟକ ପଥଟିଏ
ବିଭୋର ମୁଁ ଆନନ୍ଦରେ
ଭ୍ରମିଗଲି କେତେ ଗାଁ ଓ ସହର
ସ୍ପୀତ ହେଲା ଶରୀର ମୋ
ଧିରେ ଧିରେ ଠୁଳ ହେଲା
ଆବର୍ଜନା ଯେତେ ସବୁ, ଦୁନିଆର
ପାରିଲି ଯେତିକି
ଠେଲିନେଲି ସୁଅରେ, ସମୟ ସାଥିରେ ।
ସ୍ବପ୍ନ ମୋର,
ଛୁଇଁବାକୁ ସ୍ବପ୍ନମୟ ଚକ୍ରବାଳ
ଚାଲୁ ଚାଲୁ କେତେବେଳେ
ଟାଣିନେଲା କୋଳକୁ ତା
ଅନ୍ତହୀନ ବୃଶଳ ଅମର ,
ଶାନ୍ତିର ନିଳୟ ଏ
ଆତ୍ମାର ମିଳନ ଏଠି ବିଶାଳତା ସହ
ଚିରନ୍ତନ ସତ୍ୟ ଏ ଯେ
ହେଉ ନଈ,
ଅବା ସେ ଜୀବନ ।