STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ବାପାଙ୍କ ପାଇଁ କବିତାଟିଏ

ବାପାଙ୍କ ପାଇଁ କବିତାଟିଏ

1 min
182

ଭାବିଛି, କିଛି ବାପାଙ୍କ ପାଇଁ ମୁଁ ଲେଖିବିନି

ମୋ ଷ୍ଟାଟସ୍ ରେ ବି କିଛି ରଖିବିନି,

ଦୁନିଆ ଆଗରେ ବଡ଼େଇ କହିଲେ କି ବା ଲାଭ 

ଯେବେ ବାପାଙ୍କୁ ମୁଁ କହି ପାରିବିନି। 


ସତରେ, ବାପାଙ୍କ ସହିତ ମନ ଖୋଲି କଥା ହୋଇନାହିଁ

କେବେ ବିରୁଦ୍ଧରେ ଯାଇ ଅଭିଯୋଗ କିଛି ଆଣିନାହିଁ,

କେମିତି କେଜାଣି ଭୟ ସମ୍ଭ୍ରମରେ ମୁଁ ହାରିଯାଏ

ବାପାଙ୍କ ସହିତ ହସିଥିଲି କେବେ ମନେନାହିଁ। 


ମୋ ସାନ ଭଉଣୀଟା ବାପାଙ୍କ ସହିତ ମିଶିଯାଏ

କେତେ କଣ ଗପ ତାଙ୍କ ସାଥେ ବସି କରୁଥାଏ,

କେଉଁଠୁ କେଜାଣି ସାମାନ୍ୟ ଇର୍ଷାରେ ମୁଁ ଜଳିଯାଏ

ତାଙ୍କ ଗମ୍ଭୀର ମୁଖରେ ହସ ଟିକେ ଦେଖି କ୍ଷାନ୍ତ ହୁଏ। 


ମୋ ମନରେ କିନ୍ତୁ ନାହିଁ ଟିକେ ହେଲେ ଅବଶୋଷ

ବାପାଙ୍କ ସେ ମୂର୍ତ୍ତି ଭିତରେ ଦେଖେ ମୁଁ କେତେ ସଂଘର୍ଷ,

ମୋ ଭିତରେ ବୋଧେ ଦେଖନ୍ତି ସ୍ୱପ୍ନର କୋଣାର୍କଟେ

ତାଙ୍କ ଶାଣିତ ଆଖିରେ କରିଥାନ୍ତି ମୋର ଶିଳାନ୍ୟାସ। 


ତାଙ୍କ ସହ ମୋର ଆଳାପ ଯଦିଓ କ୍ଵଚିତ ହୁଏ

ମୋ ଖବର କିନ୍ତୁ ଟିକିନିକି ତାଙ୍କ ପାଖେ ଥାଏ,

ବୋଉ ହିଁ ସାଜନ୍ତି ତାଙ୍କ ମୋ ଭିତରେ ଦୂତୀ ସମ

ସ୍ୱଳ୍ପ କଥାରେ ବି ମନସ୍କାମ ମୋର ପୂର୍ଣ୍ଣ ହୁଏ। 


ସତେ ଏ ସମ୍ପର୍କ ବିନା ଶବ୍ଦେ ବହୁ କଥା କହେ

ଭାଷାହୀନ ଏକ ସହରେ ଭାବର ବାର୍ତ୍ତାଟିଏ,

ମୋ ପାଖରେ ଥାଏ ଅସୀମ ଭକ୍ତିର ନିଶ୍ଚଳତା

ଗମ୍ଭୀର ଚେହେରା ପଛରେ ସେ ଆର୍ଦ୍ର ଧାରାଟିଏ। 


ଆଖି ତାଙ୍କ ଓଦା ହେବା କେବେ ଦିନେ ଦେଖିନାହିଁ

କଣ୍ଟା ଫୁଟିଗଲେ ଓଃ ବୋଲି କେବେ ଶୁଣି ନାହିଁ

ଆଉ କା ଦୁଃଖରେ ବିବ୍ରତର କିନ୍ତୁ ଛାପ ଦେଖେ

ଅଧୈର୍ଯ୍ୟ ହୋଇ ସେ ବ୍ୟତିବ୍ୟସ୍ତ ହେବା ଜାଣିନାହିଁ। 


ଆଜି ବାପା ହୋଇ ବୁଝି ପାରୁଛି ତାଙ୍କର ମଥା ପରେ

ଥିଲା କେତେ ଯେ କର୍ତ୍ତବ୍ୟବୋଧ ଲଦା ତାଙ୍କ କାନ୍ଧ ପରେ,

ଝଡ଼ ତୋଫାନରେ ନିରୁଦବିଗ୍ନ ଚିତ୍ତେ ନୌକା ବାହିବାର କଳା

ଶିଖିଛି ବୋଲି ତ ମୋ ତରଣୀ ବାହେ ସ୍ବଛନ୍ଦରେ। 


ଲେଖିବିନି ବୋଲି ଲେଖିଗଲି ପୁଣି କଥା କେତେ

ସେ ବାପା ପରା ବ୍ୟାପ୍ତ ବାୟୁରୁ ଜଳଧି ପରିଯନ୍ତେ ,

ପଢ଼ାଇବାର ଏ କବିତା ତାହାଙ୍କୁ ନାହିଁ ମୋର ସତ୍ସାହସ

ମୋ ଭିତରେ ଥିବା ଭାବନାର ରଙ୍ଗ ସଞ୍ଚରି ଯାଉ ତାଙ୍କ ହୃଦେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract