ଦଗଦଗିଆ ଜଗନ୍ନାଥ
ଦଗଦଗିଆ ଜଗନ୍ନାଥ
ଓଡିଆଙ୍କ ଇଷ୍ଟ ତୁହି ପରା ପ୍ରଭୁ
ଜଗତର ଜଗନ୍ନାଥ
କେଉଁ ଦୋଷ ଆମେ କରିଦେଲୁ କହ
କରୋନା ଜଗିଛି ପଥ ?
ଡରି ଡରି ନିତି ବଞ୍ଚୁ ଅଛୁ ଆମେ
ନିଜରଙ୍କୁ କରି ପର
ତଥାପି ଥମୁନି କାଳ ରାତ୍ରୀ ଏଠି
ଛୁଟୁଛି ଲହୁର ଧାର ।
ଦଗାଦିଆ ତତେ କହେ ଏ ସଂସାର
ନଥିଲି କାରଣ ଜାଣି
ଏତେରେ କପଟ କାହାଠୁ ଶିଖିଲୁ
ଭକତ ଦୁଃଖ ନଶୁଣି ?
ଷାଠିଏ ପଉଠି ଖାଉଛୁ ନିଇତି
ଭୋକେ ରହି ନାହୁଁ ଦିନେ
କିପରି ବୁଝିବୁ କ୍ଷୁଧାର ଜ୍ୱାଳା ତୁ
କଣ ରଖିଛୁ ତୋ ମନେ ?
ଭକତ କାନ୍ଦୁଛି ବନ୍ଦୀ ଘରେ ରହି
ହସୁଛୁ ତୁ ତୋ ଦେଉଳେ
କେତେ ଦିନ ଆଉ ଏମିତି କରିବୁ
ସୁଖରେ ନରଖି ତିଳେ ।
ସାରା ବିଶ୍ୱ ଯଦି ଲୋପ ପାଇଯିବ
ପୂଜିବ କିଏ ରେ ତତେ,
ଭୋକର ଯନ୍ତ୍ରଣା ସେବେ ତୁ ବୁଝିବୁ
ଲୁହର ମୂଲ୍ୟ ବି କେତେ ?
କରୋନାର ଶେଷ ତୋ ପାଖରେ ଅଛି
ତଥାପି ହସୁଛୁ ଦେଖି
କେତେ ଆଉ ଅନାଥ କରିବୁ କହ
କରୋନା ସଂସାରେ ରଖି ?
ସୃଷ୍ଟିର ବିନାଶ ଯଦି ଚାହୁଁ ଅଛୁ
ଥରକରେ ଦେ ତୁ ମାରି
ଏମିତି ରୋଗରେ ଛଟ ପଟ ହୋଇ
ବାଧୁଛି ସଭିଙ୍କୁ ଭାରି ।
ଅଧା ଗଢା ହେଲୁ ଛଳନା କରି ତୁ
ସେବି ବ ଭାବି ସଂସାର
ଭକତ ସେବାର ଫାଇଦା ଉଠେଇ
ଦେଲୁ ଭଲ ଉପହାର ।
ପାପ ପୂଣ୍ୟ ପରା ହିସାବ ରଖୁଛୁ
ଇଏ କଣ ତୋର ନ୍ୟାୟ ?
ହାତରେ ନ ମାରି ଭାତରେ ମାରୁଛୁ
ହୃଦୟରେ ଭରି ଭୟ ।