ତୋ ପାଇଁ
ତୋ ପାଇଁ


ପାଗଳ ମୁଁ ଆଜି ତୋ ପାଇଁ ହେଲି
ଦିନରାତି କଥା ସବୁ ମୁଁ ଭୁଲିଲି,
ପଛେ ପଛେ ତୋର ଏମିତି ବୁଲିଲି
ନିଜକୁ ମୁଁ ଆଜି ନିଜେ ପାସୋରିଲି ।
ଯେ ଦେଖିଲା ମତେ ସିଏ ଗାଳିକଲା
ମୋ ବୁଢୀମା' କହେ କେ ତତେ ପେଷିଲା,
କେଡେ ସୁନ୍ଦରିଆ ଥିଲୁ ତୁ ନାତିଆ
ଏତେ ହୀନିମାନ କିଏ ତତେ କଲା ।
ମୋ ବୋଉ ପୁଣି ପଛେ କାଇଁ ରହେ
ଆଉ କିଛି ଗାଳି ସିଏ ଯୋଡି ଦିଏ ,
ଯୋଗଣିଖିଆ ଠୁ ବାଡ଼ିପୋଡା ଯାଏଁ
ଯେତେ ଯାହା ଅଛି ସବୁ ଝାଡ଼ି ଦିଏ ।
କାନରେ ଯନ୍ତର ଲଗେଇକି ଥାଉ
କାହା ସାଥେ ଏତେ ଗୁଣୁ ଗୁଣୁ ହୋଉ ,
ରାତି ଅଧିଆଟା ଶୋଇବା ସମୟେ
ଛାତ ଉପରକୁ କାହିଁ ପାଇଁ
ଯାଉ ।
ସାଙ୍ଗ ମୋ କୁହନ୍ତି ହେଲୁ ସ୍ୱାର୍ଥପର
ସବୁ ବଦଳିଲା ରଙ୍ଗଢଙ୍ଗ ତୋର,
ଆଗରୁ ନଦେଖି ନରହୁ ତୁ କ୍ଷଣେ
ଏବେ ଆମେ ହେଲୁ ସବୁ ସାତପର ।
ତୋ ପାଇଁ କାହିଁ କେତେ କିଳା ନେଲୁ
ବାପା-ମା'ଙ୍କ ଠୁ ବାଡିଆ ଖାଇଲୁ,
ଆଜି ଶଳା ଯେବେ ମାଣ୍ଡୁଟେ ପାଇଲୁ
ଆମ ଜଳାଞ୍ଜଳି ସବୁ ତୁ ଭୁଲିଲୁ ।
ଆଉ କି କହିବି କହଲୋ ତୁ ମତେ
କି ଉତ୍ତର ମୁଁ ଦେବି ତାଙ୍କୁ,
କାହିଁକି ପାଗଳ ହେଇଛି ମୁଁ ଆଜି
କି ବୁଝେଇବି ଏମାନଙ୍କୁ ।
ତତେ ବୁଝେଇଲେ କୁଁ କୁଁ ହୋଉ
ତାଙ୍କୁ ବୁଝେଇଲେ ହେବେ ରାଗ,
ମତେ କହ ଏବେ କଣ କରିବି
କାହାକୁ ଦେଖିବି ଆଗ ।।