ଖଣ୍ଡିଆ ଦିଅଁ
ଖଣ୍ଡିଆ ଦିଅଁ
ପାଦନାହିଁ ତୋର ଚଉଦ ଭୂବନ
କେମିତି ବୁଲୁଛୁ କହ
ହାତନାହିଁ ତୋର କେମିତି ପୋଛୁଛୁ
ଭକତ ଆଖିର ଲୁହ I
କାଠଗଢା ତୋର ଦେହରେ ତ ଜଗା
ରକତ ମାଉଁସ ନାହିଁ
ଏତେ ଭୋକ ତୋତେ ଷାଠିଏ ପଉଟି
ନିମିଷେ ଦେଉଛୁ ଖାଇ I
ଏତେ ବଡ ବଡ ଆଖିରେ ଚାହିଁଛୁ
ପଲକ ପଡୁନି କ୍ଷଣେ
କାହାକୁ କିଛି ତୁ ପଦେ ବି ନ କହି
ସବୁ ଦେଖୁଛୁ ମୁଁ ଜାଣେ I
ତୋତେ ଦେଖିଦେଲେ ଖୁସିରେ ଝରଇ
ଭକତ ଆଖିରୁ ଲୁହ
ସେ ଲୁହକୁ ଦେଖି ମୁରୁକି ମୁରୁକି
ହସିଦେଉ କିଆଁ କହ I
ହାତ ପାଦ ନାହିଁ ଆଖିପତା ନାହିଁ
ତୁ ଏମିତି ଏକ ଦିଅଁ
ତୋ ଦର୍ଶନ ପାଇଁ ନିତି ଶ୍ରୀକ୍ଷେତ୍ରକୁ
ଛୁଟେ ଭକତଙ୍କ ସୁଅ I
ସମସ୍ତେ କୁହନ୍ତି ତୁ ଜଗତ ନାଥ
ପତିତ ପାବନ ହରି
ମୁଁ ପତିତ ଟିଏ ଗୁହାରି କରୁଛି
ହାତ ମୋ ଦେବୁନି ଛାଡି I
