ଯତ୍ନ କଲେ ମିଳେ ରତ୍ନ
ଯତ୍ନ କଲେ ମିଳେ ରତ୍ନ
ଅଳୀକ ସଂସାରେ ବୁଦବୁଦ ପରାଏ
ଜୀବନ କ୍ଷଣଭଙ୍ଗୁର
କେବେ ଖରାଛାଇ ସୁଖ ଆଉ ଦୁଃଖ
ଖେଳେ ଲୁଚକାଳି ଖେଳ ।
ଡରାଏ ଆତଙ୍କ କ୍ରୋଧ ହାନିକର
ହିଂସା ଦ୍ବେଷ ଅହଂକାର
ବଢେ ଅବିଶ୍ଵାସ ଶତ୍ରୁତା ସମାଜେ
ଆପଣାର ଲୋକେ ପର ।
ତପ୍ତ ମରୁବୁକେ ସନ୍ତପ୍ତ ଜୀବନ
ଶୁଷ୍କ ମମତା ନିର୍ଝର
ଅତ୍ଯନ୍ତ ଦୁର୍ଲଭ ସମର୍ପଣ ତ୍ଯାଗ
ସଦାଚାର ସୁବିଚାର ।
କହିବାକୁ ସତ୍ଯ ସାଧୁ ଗୁଣୀ ଜନ
କରନ୍ତି ଭୟ ସଙ୍କୋଚ
ନିର୍ଭୟେ ଦୁର୍ଜନ ଆଚରନ୍ତି ହିଂସା
ନ୍ଯାୟ ପଦ୍ମ ଅପହଞ୍ଚ ।
ସଚେତ ସଜଗ ହୁଅ କର୍ମବୀର
ସମୟ ଦିଏ ଆହ୍ୱାନ
ଯୁଗ ସନ୍ଧିକ୍ଷଣେ ପଡ ନାହିଁ ଭାଙ୍ଗି
ନ ହୁଅ ସଜ୍ଜନ ମୌନ ।
ତତ୍ତ୍ବ ସୁଦର୍ଶନ ସତ୍ଯ ଧର୍ମ ନିଷ୍ଠା
ସୁସଂସ୍କାରେ ହୁଅ ବ୍ରତୀ
ଉଦ୍ଦୀପ୍ତ ସୁଲକ୍ଷ୍ଯ ଦୃଢ ଇଚ୍ଛାଶକ୍ତି
ସ୍ଥିର ରଖି ଚିତ୍ତ ବୃତ୍ତି ।
ବିବେକ ସୁଜ୍ଞାନେ ହୋଇ ସୁନିଶ୍ଚିତ
କର ସୁଉଦ୍ଯୋଗ କର୍ମ
ଅସମ୍ଭବ ସବୁ ହୁଅଇ ସମ୍ଭବ
ଯତ୍ନ କଲେ ମିଳେ ରତ୍ନ ।