ଯିବ ନାହିଁ ଭୁଲି
ଯିବ ନାହିଁ ଭୁଲି
ବଗିଚାର ମାଳୀ ଯତନେ ଫୁଟାଏ
ସୁନ୍ଦର ରଙ୍ଗ ଗୋଲାପ
ତୁମ ଠାରୁ ଦୂରେ ନପାଇ ଆଦର
ହୃଦୟ କରେ ବିଳାପ ।
ଚନ୍ଦ୍ରମାକୁ ଚାହିଁ ହସେ ଫୁଲ କଇଁ
ସୂର୍ଯ୍ଯଙ୍କୁ ଖୋଜେ ପଦ୍ମିନୀ
ଲାଗେ ଶୂନ୍ଯ ଶୂନ୍ଯ ସାଥୀ ତୁମ ବିନା
ମନ ମୋ ଖୁସି ଲାଗେନି ।
ଭାବୁଥିବ ମନେ ରହି ମୁଁ ଏକାକୀ
ଏଠାରେ ଭଲ ମୁଁ ଅଛି
ନିତି ଉଠୁଅଛି ଉଇଁଲେ ସୂରୁଜ
ଚାହୁଁଛି ଯାହା କରୁଛି ।
ମଣିବନି ଜମା ଏକଲା ଜୀବନ
ଲାଗଇ ମୁକ୍ତ ସ୍ବଚ୍ଛନ୍ଦ
ପ୍ରବାସେ ପାଖରେ ନଥାନ୍ତି ନିଜର
କେହି ପ୍ରିୟ ପରିଜନ ।
ବ୍ୟସ୍ତତା ଭିତରେ ଯିବନାହିଁ ଭୁଲି
ପାଇବ ଯେବେ ସମୟ
ବାର୍ତ୍ତାଳାପ କରି ବୁଝୁଥିବ ଟିକେ
ମନ ହେବ ଧୀର ଥୟ ।
ହେଉ ପଛେ ଯେତେ ବିଳମ୍ବିତ ରାତ୍ରୀ
ପ୍ରତୀକ୍ଷା ମୁଁ କରିଥିବି
ଶୁଣିଲେ ତୁମକୁ ଦୁଇ ପଦ କଥା
ଆଖିପତା ମୁଁ ମୁଦିବି ।।

