ଉତ୍ତର ଖୋଜୁଛି ବୋଉ
ଉତ୍ତର ଖୋଜୁଛି ବୋଉ
ବର୍ଷ ବର୍ଷ ପ୍ରତୀକ୍ଷିତ ସ୍ପର୍ଶଟିଏ
ହଠାତ୍, ଯେମିତି
ଲେପି ଦେଲା ଶୀତଳ ଚନ୍ଦନ
ତାର ମଳି ମୁଣ୍ଡିଆ ଲୁଗାଟି
ଏକ ସ୍ଵଚ୍ଛ ପରିସ୍କାର ଶାଢୀରେ
ରୂପାନ୍ତରିତ ହୋଇଗଲା-
ବିରକ୍ତି ପୂର୍ଣ୍ଣ କଥାମାନେ
ହଠାତ୍ କେମିତି
ଏତେ ମଧୁର ହୋଇଗଲେ ?
ଅପ୍ରତ୍ୟାଶିତ ଭାବେ
ଦୁଇଟି ବାହୁ
ତା କାନ୍ଧକୁ ଅନ୍ତରଙ୍ଗତା ରେ
ଜାବୁଡ଼ି ଧରି
ତାକୁ ଠିଆ କରାଇ ଦେଲେ
ଆଉ,
ସୁନ୍ଦର ଛବିଟିଏ
ମୋବାଇଲ ର ଛାତିରେ
ଛାପି ହୋଇଗଲା-
ବୋଉ ଭାବୁଥିଲା
ସେ ସ୍ବପ୍ନ ଦେଖୁନି ତ ?
ବୋଉଟିଏ ହଠାତ୍
ନିଜକୁ ଗୋଟଉ ଗୋଟଉ
ଭାବୁଥିଲା -
ସତରେ କଣ
ତା ମାତୃତ୍ୱ ଏବେ ବି ବଞ୍ଚିଛି-
ସେ ସ୍ପର୍ଶରେ ବୋଉଟିଏ
ପୁଲକିତ ହେଉଥିଲା-
ଭୁଲି ଯାଉଥିଲା
ବିତି ଯାଇଥିବା ଅଲୋଡ଼ା କାଲିକୁ
ଭାବୁଥିଲା- -
ତାର ବାଟ ଭୁଲା ପୁଅ ବୋଧେ
ବାଟ ପାଇଅଛି ।
ସେଇ ଟିକିଏ ସ୍ପର୍ଶ
ସେଇ ଟିକିଏ ଅନ୍ତରଙ୍ଗତା
ତା ମନ ହୃଦୟରେ
ଘର କରି ଗଲେ
ବୋଉଟି ଦେଖୁଥିଲା-
ତାର ସ୍ଵଚ୍ଛ ନିର୍ମଳ ଶାଢ଼ୀ ଟିକୁ
ସତରେ କି ଶାନ୍ତି-
ଆନନ୍ଦମଗ୍ନା ବୋଉଟି
ହଜି ଯାଉଥିଲା
କେଉଁ ଏକ ନିର୍ମୋହ ଆନନ୍ଦ ରେ |
ତଥାପି -
ଉତ୍ତର ଖୋଜୁଥିଲା ସେ
ଆଉ ସେଇ ଟିକିଏ ସ୍ପର୍ଶ
ତା ମନର ଅନ୍ଧାରକୁ ଆଡେଇ
ତୋଫା ଆଲୁଅ ଭଳି
ଉଜ୍ଜଳି ଉଠୁଥିଲା ।
ଯନ୍ତ୍ରଣା ବାହୁଡ଼ା ମନଟି
ଶାନ୍ତ ହୋଇ ଯାଇଥିଲା
ଆଉ,
ବୋଉଟି ସେଇ ଟିକକ ସମୟର ମୋହରେ ଛନ୍ଦି ହେଉ ଥିଲା |
ସକାଳ ଆସିଲା
ତା ଘଣ୍ଟି ବଜାଇ
ତଥାପି କାହିଁକି-
ବୋଉଟି ଉତ୍ତର ଖୋଜୁଥିଲା -
ହଠାତ୍ କଅଁଳିଆ ଡାକରେ
ଚ଼ମକି ଦେଖିଲା -
ନାତୁଣୀ ହାତର ମୋବାଇଲ୍ ରେ
ବୋଉଟିର ଛବି
କେତେ କଣ ଲେଖା -
ପଢ଼ି ନ ପାରିବାର ଅପାରଗତା
ତାକୁ ବ୍ୟସ୍ତ କରୁଥିଲା ।
ପ୍ରଶ୍ନ ଗହଳରେ ଘୁରୁ ଘୁରୁ
ନାତୁଣୀ କହିଲା-
ଦେଖ୍ ଜେଜେମା -
କାଲି ମାତୃ ଦିବସର ଛବି
ଏଥର ବୋଉଟି ତାର
ଉତ୍ତର ପାଇ ସାରି ଥିଲା-
ହେଲେ,
ଆଶା ବୈତରଣୀ ରେ
ଉବୁଟୁବୁ ହୋଇ
ଭାବୁଥିଲା -
ଆଜି ଠାରୁ ହୁଏତ ତା
ଭାଗ୍ୟ ବଦଳିଲା ।
ହେଲେ,
କିଛି ବି ବଦଳିଲାନି
ପୁଣି ସିଏ ହୋଇଗଲା
ଅଲୋଡ଼ା ମଣିଷ ଟିଏ
ଆଉ,
ବୋଉ ଟିଏ ପୁଣି
ଆସନ୍ତା ମାତୃ ଦିବସର
ଅପେକ୍ଷାରେ ରହିଗଲା
ତାର
ଅନ୍ତଃ ହୀନ ଆଶାକୁ ନେଇ ।
