ଉତ୍ତାପ
ଉତ୍ତାପ
ଭୁଲି କ୍ଷୁଧା ତୃଷା ଅପଲକ ଦୃଶା
ଯେଉଁ ଆଶା ଘେନି ରହିଛି ଚାହିଁ
ରାତି ପରେ ରାତି ବିତିଯାଏ ସାଥୀ
ଦେହ ଦହେ ଅଗ୍ନି ପ୍ରଶମେ ନାହିଁ ।
ସୁମନ ସହରେ ଚବିଶ ପ୍ରହରେ
କୁହୁଳୁଛି ଯାହା ଅନବରତ
ବେଳୁବେଳ ତାପ ବଢାଏ ସନ୍ତାପ
କହି ହୁଏ ନାହିଁ ହେଲେ ବି ସତ ।
କହିବାରେ ଲଜ୍ଜ୍ୟା କିମ୍ପା ତୁଳା ଶଯ୍ୟା
ସମାନ ଲାଗଇ ମୃଣ୍ମୟ କାୟା
ଉଆଁସୀ ନିଶୀଥ ଥିଲେ ବି ନିଶ୍ଚିତ
ଚନ୍ଦ୍ରମୁଖୀ ତୁମେ ରଚିଛ ମାୟା ।
ନିବୁଜ କକ୍ଷରେ ଉର୍ବଶୀ ବକ୍ଷରେ
ପ୍ରତୀତ ହୁଅଇ ଜହ୍ନର ଆଭା
ମନ୍ତ୍ରମୁଗ୍ଧ ରହି ସହିଯାଏ ସହୀ
ଫୁଟୁଥାଏ ଯହିଁ ଉତ୍ତପ୍ତ ଲାଭା ।
ନିଜ ଉତ୍ତାପରେ ଦଗ୍ଧ ହେବା ପରେ
ଆର୍ଦ୍ର ନେତ୍ରେ ଭିନ୍ନ ଦିଶେନି ଦିଶା
ନିତି ପଶ୍ଚାତାପେ ବଢିଯାଏ ଆପେ
ଜଳି ଯିବାର ଏ' ଦୁର୍ଦ୍ଦମ ନିଶା ।
ନିଦାଘ ପବନେ ଦେହ ଉପବନେ
ପତ୍ରଝଡା ଚାଲେ ତମାମ ବର୍ଷ
ତଥାପି ସପନେ ନିରସ ଲପନେ
ଝୁରେ ବା କାହାର ଅଦେଖା ସ୍ପର୍ଶ ।
ବୟସ ବିତିବା ହାରିବା ଜିତିବା
ନିରର୍ଥକ ସିନା ଅନ୍ୟର ଲାଗି
ବିନିଦ୍ର ଏ' ଆଖି ଅଛି ପାଖାପାଖି
ଆୟୁଷରୁ ଅଧେ ଏକାନ୍ତେ ଜାଗି ।