ଉତ୍କର୍ଷୁ ମଣିଷ
ଉତ୍କର୍ଷୁ ମଣିଷ
କେବେ ସିନା ଥିଲ ତୁମେ ଅନାଗତ ଭବିଷ୍ୟତ
ସୂଚାଇ ନୂତନ ଅଙ୍କ
ସମ୍ମୁଖରେ ଉଭା ଏବେ ହୋଇଅଛ ତୁମେ ନବବର୍ଷ ,
ଭାବୁଅଛୁ ମନକଥା ମନ ମଧ୍ଯେ ନ ରଖି ଗୋପନ
କହିଦେଲେ ଭଲ ହେବ
ନବାଗତ ପରିଚୟେ ହେବ ଖୁସି ଘନିଷ୍ଠ କ୍ରମଶଃ ।
ବିଚ୍ଚିତ୍ର ଜୀବ ମଣିଷ ପାଲଟିଛି ଏବେ ଯନ୍ତ୍ର ଦାସ
ଭୁଲିଛି ସେ ମାନବତା
ବିଭାଜିତ ଜାତି ଧର୍ମ ସଂପ୍ରଦାୟେ କରୁଛି ସଂଘର୍ଷ,
ସଦ୍ଭାବନା ଶାନ୍ତି ମୈତ୍ରୀ ଅହିଂସା ପଥକୁ ଭୁଲି
ବାଟବଣା ମଣିଷ ରାକ୍ଷସ
ହରାଇ ବିବେକ ବୁଦ୍ଧି କରିଚାଲେ ଧ୍ବଂସ ଓ ବିନାଶ ।
ବିପର୍ଯ୍ଯସ୍ତ ପରିବାର କୁଳଧର୍ମ ସଂସ୍କାର ସଂସ୍କୃତି
ବିଲୁପ୍ତ ହୁଏ ପ୍ରଜାତି
ଜଳେ ହିଂସା ବ୍ଯଭୀଚାର ଦ୍ବେଷ ଯୁଦ୍ଧ ଘନଘଟା ,
ଜର୍ଜରେ ଜୀବନ ଜ୍ବାଳା ଦୁରାଚାର ଭୟ ଓ ଆତଙ୍କେ
ଦିବା ସ୍ବପ୍ନ ସ୍ନେହ ପ୍ରେମ
ଶୁଖିଯାଏ ସୋହାଗ ମମତା ଦିଶେନାହିଁ ପନ୍ଥା ।
ନ ହେଉ କଠୋର ହୃଦ ସ୍ବେଚ୍ଛାଚାରୀ ଶ୍ରେଷ୍ଠ ଜୀବ
ପ୍ରକୃତିସ୍ଥ ହେଉ ସତ୍ଯନିଷ୍ଠ
ସମୟର ଆହ୍ୱାନକୁ ଅବିଳମ୍ବ ବୁଝୁ ସେ ଅବଶ୍ଯ ,
ଭରିଦିଅ ପ୍ରତିପ୍ରାଣେ ଶକ୍ତି ଆନନ୍ଦ ଉତ୍ସାହ
ବଜାୟ ରହୁ ସ୍ବଚ୍ଛତା
ସ୍ବକର୍ତ୍ତବ୍ଯ ଆଚାର ବିଚାରେ ଉତ୍କର୍ଷୁ ମଣିଷ ।