ଉପରେ ହସୁଛି ଭିତରେ କାନ୍ଦୁଛି
ଉପରେ ହସୁଛି ଭିତରେ କାନ୍ଦୁଛି
କୂପର ମଣ୍ଡୁକ ସଦୃଶ ମଣିଷ
ମଣଇ ନିଜକୁ ଶ୍ରେଷ୍ଠ ମହାନ
ଭାବେ ସେ କୂପଠୁ ନାହିଁ ବଡ କିଛି
ଏକା ସେ ବୁଦ୍ଧିଆ ଓ ଜ୍ଞାନବାନ ।
ଭାରି ହସ ଲାଗେ ଯେବେ ନରାଧମ
ପେଟେ ଭରି ଅହଂ ଗରଳ ସ୍ବାର୍ଥ
ଜ୍ଞାନୀ ପଣ୍ଡିତଙ୍କୁ ମଣେ ନୀଚ୍ଚ ତୁଚ୍ଛ
ହୁଙ୍କାପିଟି ବଳେ କରେ ନେତୃତ୍ବ ।
ଭୋଗିନାହିଁ ଯିଏ ଜୀବନ ଯନ୍ତ୍ରଣା
ପରଜୀବୀ ହୋଇ ଶୋଷଇ ରକ୍ତ
ମଜ୍ଜିବ ସେ ସିନା ବିଳାସ ବ୍ୟସନେ
ହରି କି ପାରିବ ସେ ମୁଢ ଦୁଃଖ ।
ବିଶାଳ ସାଗର ଗରଜଇ ଗର୍ବେ
ତରଙ୍ଗ ସୁଉଚ୍ଚ ଖେଳାଇ ବକ୍ଷେ
ଖେଦ ମନେ ଭରେ ସଙ୍କୁଚି ପ୍ରବହେ
ମଥା ଲୋଟେ ତୀରେ ସେ ବେଳାବୁକେ ।
ପାଏନାହିଁ ଖୋଜି ଭାଷା ଓ ଶବଦ
ଭାବ ନିରକ୍ଷର ରହେ ଅବ୍ୟକ୍ତ
ଗୋଲକର ଧନ୍ଦା ଲାଗଇ ବିଚିତ୍ର
ଲକ୍ଷ୍ଯ ପଥ ହୀନ ଜୀବନ ବ୍ଯର୍ଥ ।
ଉପରେ ହସୁଛି ଭିତରେ କାନ୍ଦୁଛି
ଉତ୍ତାଳ ସାଗର ମନ ବିବେକ
ସ୍ବଚ୍ଛନ୍ଦେ ଆକାଶେ ଚାହେଁ ଉଡିବାକୁ
ବିହଙ୍ଗମ ପରି ଲୋଡଇ ପକ୍ଷ ।।
