ଉଜୁଡା କ୍ଷେତର ଅଭାଗା ମାଲିକ
ଉଜୁଡା କ୍ଷେତର ଅଭାଗା ମାଲିକ
ମତେ ଦୂରଟା ସ୍ପଷ୍ଟ ଦେଖାଯାଉଛି
ମୁଁ କାନ୍ଥ ଉପରେ ଥିବା ଲେଖାଗୁଡିକୁ ସ୍ପଷ୍ଟ ପଢ଼ି ପାରୁଛି !!!
କିନ୍ତୁ ହାତର ରେଖା ଗୁଡ଼ିକୁ ବିଲକୁଲ୍ ପଢ଼ି ପାରୁନି
ଦୂର ସମ୍ପର୍କୀୟ ଗଣ୍ଡୋଗୋଳ ମତେ ଦେଖା ଯାଉଛି,
କିନ୍ତୁ ପାଦ ତଳେ ଥିବା ଗରମପାଉଁଶ ଆଦୌ ଦିଶୁନାହିଁ
ଅନିଶ୍ଚିତ ଅପେକ୍ଷାରେ ଦିନୁ ଦିନ ସରି ସରି ଆସୁଛି,
ବାକି ରହିଯାଇଥିବା ବଳ ଓ ବୟସ, ଆଶା ଓ ନିରାଶାର ଉଦବୃତ୍ତ ସମୟ
ଉଦାସିଆ ଏକ ଭଦ୍ର ମାର୍ଜିତ ଜୀବନ !!
ଅନ୍ୟ ଲୋକ ଠାରେ କମ୍ ନିଜ ସହ ବେଶି ଲଢୁଛି!!!
ଭୂତ ଭବିଷ୍ୟତ ଫଳାଫଳର ହିସାବ କରୁଛି !!
ଭୟଭୀତ ହୋଇଛି ବାରମ୍ବାର !!
ଘଟଣା ଚକ୍ରର ଅବର୍ତ୍ତମାନରେ ଝଡା ପତ୍ର ପରି ସବୁ କିଛି ଖସି ପଡୁଛି ତଳକୁ, ତଳକୁ !!
ନିଜର ଜବାବ୍ ନିଜେ ଖୋଜି ପାରୁନି
ଫର୍ଦେ କାଗଜ ଧରି ଖୋଜି ଚାଲିଛି ମୁଁ
ନା' ସମସ୍ୟାର ସମାଧାନ କରି ପାରୁଛି ନା'
ସମୟର ଚକ କୁ ପଛକୁ ଫେରେଇ ପାରୁଛି
କେବଳ ଉଜୁଡ଼ା କ୍ଷେତର ଅଭଗା ମାଲିକ ପରି ମୁଣ୍ଡରେ ହାତ ଦେଇ ବସି ରହିଛି !
ମୋ ମନ ଯେତେ ବେଳେ କାଠ ଗଡ଼ା ଭିତରେ ନିଜକୁ ଠିଆ କରୁଛି ନିଜକୁ ନିଜେ ଜବାବ୍ ଦେଇପାରୁନି!
ମୋ ଜବାବ୍ ମୋ ବିରୁଦ୍ଧରେ ଯାଉଛି
ଆଉ ମୁଁ ଦୋଷୀ ସାବ୍ୟସ୍ତ ହେଇଛି.....
ସେତେ ବେଳେ ମୁଁ କିଛି ଦେଖି ପାରୁନି ନା ଦୂର ନା ପାଖ
ସେତେ ବେଳେ ମୋ ବୟସ ଅଚାନକ ୧୦ ବର୍ଷ ଆଗକୁ ବଢ଼ି ଯାଉଛି!
ଅମାବାସ୍ୟାର ନିଶିରେ କଳା ମେଘଟା
ଜୀବନ ପରିଧିରେ ପ୍ରବେଶ କରି ମାୟାବିନୀ ନାରୀ ପରି ମଦମତ୍ତ ହୋଇ
ନିମ୍ମୀଳିତ ଭାଗ୍ୟର ଅସ୍ଥିର ଅସାର ଚିତ୍ରପଟ୍ଟ
କୁ ଧୀରେ ଧୀରେ ଧୋଇ ନେଇଛି
ଏକ ଅନିଶ୍ଚିତ ଅପେକ୍ଷାରେ......
ବିଦାୟ ରଜନୀ ଆସ୍ତେ ଆସ୍ତେ ଅଗ୍ରସର ହେଉଛି ।
