ତ୍ୟାଗ ଆଜି କାନ୍ଦୁଅଛି ସନ୍ଦେହ ଧକ୍କାରେ
ତ୍ୟାଗ ଆଜି କାନ୍ଦୁଅଛି ସନ୍ଦେହ ଧକ୍କାରେ
ସନ୍ତାନକୁ ଜନ୍ମ ଦେଇ ପିତାମାତାମାନେ
ପାଳିପୋଷି କଲେ ବଡ଼ ଅତ୍ୟନ୍ତ ଯତନେ ।
କର୍ତ୍ତବ୍ୟରୁ କେବେହେଲେ କଲେ ନାହିଁ ଊଣା
ତଥାପି ଏବେ ସନ୍ତାନ ଦିଏ ଉଲୁଗୁଣା ।
ଜନ୍ମ କଲେ ତାକୁ ବଡ଼ କରିବାକୁ ହୁଏ
ଏ କର୍ମକୁ କେବେ କ'ଣ ତ୍ୟାଗ ବୋଲାଯାଏ ?
ଉଙ୍କି ମାରୁଥାଏ ମନେ ଅନେକ ସନ୍ଦେହ
ଝିଅ କହେ ପୁଅ ତୁମ ଅଧିକ ଯେ ପ୍ରିୟ ।
ତା' ପାଇଁ ଏସା କରିଲ ମୋ ବେଳକୁ ନାହିଁ
ଯେତେ ଯୋଗ୍ୟ ହୋଇଲେ ବି ଏ ସନ୍ଦେହ ଥାଇ ।
ସେବାଯତ୍ନ କରି ପୁଅ ଦେବ ପିଣ୍ଡଦାନ
ସେଥିପାଇଁ ସାଇତିଅଛ ସମ୍ପତ୍ତିମାନ ।
ପରଗୋତ୍ରୀ ହେଲି ବୋଲି ମୋତେ ଭାବ ପର
ସେହି ସମ୍ପତ୍ତିରେ କ'ଣ ଭାଗ ନାହିଁ ମୋର ?
ଏକଅନ୍ନ ପରିବାର ରହିଛି ଯେଉଁଠି
ସନ୍ଦେହର ପରିସୀମା ବିସ୍ତୃତ ସେଇଠି ।
ଯେତେ ତ୍ୟାଗ କରିଲେ ବି ମାନେ ନାହିଁ ମନ
ସ୍ବାର୍ଥ ଆଖି ରଖିଥାଏ ଆହୁରିକୁ ଧ୍ୟାନ ।
ବିଗିଡ଼ିଲେ ଅଖୁ ଚକ ସନ୍ଦେହ ପ୍ରକାଶି
ଟୁପିଟାପି କଥା କେତେ ଆସେ ଭାସିଭାସି ।
ତ୍ୟାଗର ମହତ୍ତ୍ବ ସେଠି କେହି ବୁଝେ ନାହିଁ
ସମ୍ପର୍କର ସେତୁ ଚୂର୍ଣ୍ଣ ବିଚୂର୍ଣ୍ଣ ହୁଅଇ ।
କେତେ ଧକ୍କା ନଲାଗଇ ଗୃହମୁଖ୍ୟ ଯିଏ
ଯେତେ ବାଧାବିଘ୍ନ ସିଏ ଧୈର୍ଯ୍ୟ ଗୁଣେ ସହେ ।
ନିର୍ଦ୍ଧନ ପିତାମାତାଙ୍କ ମନେ ବି ସନ୍ଦେହ
ରଖି ନାହିଁ ଧନ ଯେଣୁ ଭାଗ୍ୟେ ନାହିଁ ସ୍ନେହ ।
ଯେତେ କଲେ ପୁତ୍ର କନ୍ୟା ନହୋଇ ସନ୍ତୁଷ୍ଟ
ମନେ ମନେ ହେଉଥାନ୍ତି କାର୍ଯ୍ୟରେ ବି ରୁଷ୍ଟ ।
ଉତ୍ତମ ପୁତ୍ରରେ କେତେ ଲାଗୁଥିବ ଧକ୍କା
ଅନୁଭବୀ ଏକଥାକୁ ବୁଝିପାରେ ଏକା ।
ତ୍ରେତୟାରେ ରାମ ଜନ୍ମ ଜଗତ ହିତରେ
ମାତ୍ର ମନ୍ଥରା କୈକେୟୀ ସନ୍ଦେହ ଘେରରେ ।
କେତେ ଅଶ୍ରୁ ନ ବହିଛି ଲୁଚାଇ ଲୁଚାଇ
ପ୍ରିୟପୁତ୍ର ଶ୍ରୀରାମଙ୍କ ବନବାସ ପାଇଁ ।
ରାମ ସିନା ବୁଝିଥିଲେ ବିମାତାର ମନ
ହେଲେ ସମାଜ ଚକ୍ଷୁରେ ସେ ନିନ୍ଦିତ ଜାଣ ।
ଅନ୍ତର୍ଦୃଷ୍ଟି ନିବେଶିଲେ ସିନା ତ୍ୟାଗ ଗାଥା
ଏ ମାନବ ବୁଝିବାକୁ ହେବ ସାମରଥା ।
ଏଇ ତ ଆମ ଦୁନିଆ ବୁଝନ୍ତି ସକଳେ
ତଥାପି ଯନ୍ତ୍ରିତ ମୋହମାୟାର କବଳେ ।
ନଥିବାରୁ ସମ୍ପର୍କର ମୂଲ୍ୟ କା' ପାଖରେ
ତ୍ୟାଗ ଆଜି କାନ୍ଦୁଅଛି ସନ୍ଦେହ ଧକ୍କାରେ ।
