ତୁର୍ତୁରିଆ ପିମ୍ପୁଡ଼ି ଭାଇ
ତୁର୍ତୁରିଆ ପିମ୍ପୁଡ଼ି ଭାଇ
ଶ୍ରୀ ଶେଷ ଭୁଷଣ ଆଚାର୍ଯ୍ୟ
ତୁର୍ତୁରିଆ ପିମ୍ପୁଡ଼ି ଭାଇ କେଣିକି ଯାଉ ଧାଇଁକି ?
ମଉଜ, ଖୁସି, ଆରାମ ପାଇଁ
ଟିକିଏ ବେଳ ନାହିଁକି ।
ଧାଡ଼ି ଯେ ଧାଡ଼ି ଟିକେ ନଛାଡ଼ି
କୁନି ରେଳଟେ ଯାଉଛି ଗଡ଼ି ।
ଏଇଠି ପଶେ ସେଠି ବାହାରେ
କେବେ କାନ୍ଥରେ ଯାଅଇ ଚଢ଼ି ।
ବାଟ ତୋ ସରୁ ନାହିଁକି
ତୁର୍ତୁରିଆ ପିମ୍ପୁଡ଼ି ଭାଇ କେଣିକି ଯାଉ ଧାଇଁକି ?
କୁନି ଦେହ ସିନା କୁନି ଜୀବନ
ହେଲେ ତୁ ବଡ଼ ପହିଲି ମାନ
ଚିମୁଟି ଶୁଣ୍ଢେ ଉଠାଇ ଧରି
ଦଶଗୁଣ ଯାହା ତୋଠୁ ଓଜନ
ଖୁସିରେ ନେଉ ବୋହିକି
ତୁର୍ତୁରିଆ ପିମ୍ପୁଡ଼ି ଭାଇ କେଣିକି ଯାଉ ଧାଇଁକି ?
ତୋଠୁ ଶିଖିବା କାମର ମୁଲ
କାମହିଁ ଭଗବାନଙ୍କ ତୁଲ
ଅଳସୁଆମି ମରଣ ସମ
ଖାଲି ମଉଜ ଯେ ମହା ଭୂଲ
ଶିଖାଉ ଧାଇଁ ଧାଇଁ କି ।
ତୁର୍ତୁରିଆ ପିମ୍ପୁଡ଼ି ଭାଇ କେଣିକି ଯାଉ ଧାଇଁକି ।