ତୁମର କ'ଣ ମନେ ପଡୁନାହିଁ
ତୁମର କ'ଣ ମନେ ପଡୁନାହିଁ
ତୁମର କଅଣ ମନେ ପଡୁନାହିଁ
ପଛକଥା କେବେ ଥରେ
କେମିତି ପାସୋରି ପାରିଲ ହେ ମିତ
ଥିବା ସରାଗ ମୋଠାରେ ?
ସାଥୀ ହୋଇ ଦୁହେଁ କେତେ ବୁଲିଛନ୍ତି
ଆମରି ପାହାଡ଼ ବଣ
ଭଇଁଚ କୋଳିରେ ତୁମରି ଆଦର
ଖାଇ ଖୁସି କର ମନ ।
ନାଚିଛନ୍ତି କେତେ ଝରଣା ପାଣିରେ
ପଡ଼ି ଉଠି କୋଳାକୋଳି
ଆମ୍ବ ପଣସର ସମ୍ଭାରରେ ବୁଡ଼ି
ଖେଳିଛନ୍ତି ରଜଦୋଳି ।
ଆମ ଗାଆଁ ପରା ତୁମକୁ ସପନ୍ଦ
ଅତି ଭଲ ପାଅ ମୋତେ
କିପରି କହୁଛି ମନଟି ତୁମର
ଛାଡ଼ି ରହିବାକୁ ସତେ !
ପାଠ ପଢ଼ିବାକୁ ଯାଇ ବିଦେଶକୁ
ଭୁଲିଗଲ ପୂରା ମୋତେ
ହେଲେ ମୁଁ ନିଇତି ଅତୀତ କୋଳରେ
ହଜଇ ତୁମ ସହିତେ ।
ଆସିବ ଆସିବ ବୋଲି କଥା ଦେଇ
କଟେ ଦିନ, ମାସ, ବର୍ଷ
କି କେ ନୂଆ ସାଥୀ ବାଟ ଓଗାଳନ୍ତି
ଦେଇ ପୀରତି ପରଶ ?
ବିଭୁ ଶ୍ରୀପୟରେ ବିନତି ମୁଁ କରେ
ନିଇତି ତୁମ ମଙ୍ଗଳ
ଯେଉଁଠି ଯେମିତି ଥାଅ କୃପାବାରି
ଢାଳୁଥାନ୍ତୁ ଆଖଣ୍ଡଳ ।।
