ତୁମର ବିରହେ
ତୁମର ବିରହେ
ତୁମେ ଗଲା ପରେ ପରେ ମୋର ମନବଗିଚାରେ
ଗୋଲାପ ମୁଖରୁ ହସ ଯାଇଛି ଲିଭି
ମଲ୍ଲୀ ଫୁଲର ବାସନା ରଜନୀ ଗନ୍ଧା ସୁଗନ୍ଧ
ମନ୍ଦାର ବଉଳ ଚମ୍ପା ହୃତ ସୁରଭି
ହେନା ହୋଇଛି ବାସହୀନା
ମନ ଆକାଶେ ଜହ୍ନର ନାହିଁ ଜୋଛନା ।
ସୂରୁଯମୁଖୀ ସୁଷମା ମନ ମୋହୁନାହିଁ ଜମା
ଆମ୍ବ ଗଛରେ କୋକିଳ ଗାଉନି ଗୀତ
ପ୍ରଜାପତି ଉଡୁନାହିଁ ଭ୍ରମର ଭ୍ରମେ ପଡିଛି
ମଧୁମକ୍ଷୀ ଗୁଣୁ ଗୁଣୁ ଗାଉନି ଗୀତ
କଇଁଫୁଲ ମୁହଁ ଲୁଚାଇ
ସକ ସକ ହୋଇ କାନ୍ଦେ ବିରହ ପାଇଁ ।
ଜିନିଆ ସୁଗନ୍ଧରାଜ ସୁଗନ୍ଧ ସୁଷମା ଆଜ
ହରାଇ ହୋଇଛି ଦୁଃଖରେ ମ୍ରିୟମାଣ
ମନ ଆକାଶରେ ମୋର ରୁସି ବସିଛି ଭାସ୍କର
ପଙ୍କଜ ସରସୀ ଜଳେ ଲଭେ କଷଣ
ପବନ ବଜାଉନି ବୀଣା
ବଉଦର ଢୋଲ ଶବ୍ଦ ଆଉ ଶୁଭେନା ।
ମନ ଆକାଶରେ ମୋର ଚାରିଆଡେ ହାହାକାର
କେଉଁଠି ଦୁଃଖେ ଲୁଚିଛି ମେଘ ମହ୍ଲାର
ଦୃଶ୍ୟ ଖାଲି ବେଦନାର ବିରହ ଦାବାନଳ
ସବୁଠାରେ ଶୂନ୍ୟସ୍ଥାନଦିଶେ ତୁମର
ତୁମ କଥା ଭୁଲିପାରିନି
ଶୋକରେ ବିଜୁଳୀ ରଚୁନାହିଁ ରୋଷଣୀ ।
ତୁମର ବିରହେ ମୋର ଶୂନ୍ୟସ୍ଥାନ ହୃଦୟର
ଅଶରୀରୀ ଆସି କରେ ନିତ୍ୟ ଚିତ୍କାର
ଫଗୁଣ ମଳୟହୀନ ବଉଳ ବି ବାସହୀନ
ରଙ୍ଗହୀନ ଲାଗେ ମୋତେ ଫଗୁ ଅବିର
ଦିନ ତପ୍ତ ମରୁ ବାଲୁକା
ରାତିର ଯାତନା ସହେ ବସି ମୁଁ ଏକା ।
ତୁମ ସ୍ମୃତି ଆସି ମନେ ଶୟନେ କି ଜାଗରଣେ
ହୂତାଶନ ପ୍ରାୟେ ହୃଦେ କରେ ଦହନ
କ୍ରୋଧିତ ଭୂଜଙ୍ଗ ପରି ହୃଦକୁ ଦଂଶନ କରି
କ୍ଷତାକ୍ତ କରଇ ହୃଦେ ଦିଏ କଷଣ
ତୁମ ସ୍ମୃତିର ନୀଳ ଜହ୍ନ
ବିରହେ ମନ ଗଗନେ ଦିଏ ଦର୍ଶନ।

