ତୁମକୁ ଦେଖିବା ପରେ
ତୁମକୁ ଦେଖିବା ପରେ
ତୁମକୁ ଦେଖିବା ପରେ ଲାଗିଲା ଏମିତି
ଦ୍ୱାପରରେ ଥିଲି ମୁଁ ଗୋପୀକା ଯେମିତି
ସ୍ମୃତି ଫୁଲବନେ ମୋର ଅଝଟ ଝରଣା,
ମନେ ପଡେ ଗୋପପୁର ଅନେକ ଘଟଣା ।
ଅନୁରାଗ ଅଭିମାନ ପ୍ରେମ ମଧୁଶାଳା,
ସ୍ୱପ୍ନାତୁର ନୟନରେ ପ୍ରୀତି ପର୍ଣ୍ଣମାଳା
ଯମୁନାର ନୀଳ ଜଳ କଦମ୍ବ ବିପିନ,
କୁଞ୍ଜବନ ବଂଶୀ ସ୍ଵନ କରୁଛି ତଲ୍ଲୀନ ।
ମୋହନ ବେଣୁର ସପ୍ତରନ୍ଦ୍ରର ରାଗିଣୀ,
ଉଚ୍ଚାଟ ମୋ ହୃଦ ତଳ ଅଝଟ ଶ୍ରାବଣୀ
ଅଭିମାନୀ ପ୍ରୀତିଲଗ୍ନା ମୃଦୁ ଦହନରେ,
ଅଲିଭା ସମୟ ସ୍ମୃତି ସୁଖ ଫରୁଆରେ ।
ଆରକ୍ତ ଗୋଧୂଳୀ ଅପବାଦ ଅଗଣାରେ,
ଫଗୁଣର ରଙ୍ଗ ଝରେ ତୁମରି ନାଆଁରେ
ରୂପେଲି ଜହ୍ନର ଛବି ଯମୁନା କୂଳରେ,
ଶରତ ଜୋଚ୍ଛନା ରାସ ବେସୁରା ବୀଣାରେ ।
ମଧୁର ବନ୍ଧନ ପ୍ରିୟ ପ୍ରଣୟ ଚନ୍ଦ୍ରିକା,
ନୀଳ ରଙ୍ଗେ ଭିଜୁଥିଲା ସୁନ୍ଦରୀ ରାଧିକା
ସମ୍ପର୍କର ଚୁକ୍ତିନାମା ଅମୃତ ମୁହୂର୍ତ୍ତ
ଅବିଶ୍ୱାସ ନିଆଁ କୋଳେ ହୁଏ ଅପହୃତ ।
ନବନୀତ ବୟସର ବିଭୋର ସଙ୍ଗୀତ,
ପ୍ରୀତି ମନ୍ତ୍ରେ ପ୍ରଶ୍ନବାଚୀ ନୀରବ ନିଶିଥ
ସାତରଙ୍ଗ ସକାଳରେ କାଖରେ କଳସୀ,
ଯମୁନା ବାହାନା କାହ୍ନୁ ନିଅ ତୁମେ ଆକର୍ଷି ।
ଆଙ୍କୁଥିଲି ତୁମ ଛବି ନିଶି ଦିବସରେ,
କଳଙ୍କ କାଳିମା ବୋଳା ଭଙ୍ଗା ହୃଦୟରେ
ନିରାଶା ଅନ୍ଧାରେ ଆଜି ଅପେକ୍ଷାର ଶେଷ,
ମେଣ୍ଟିବ କି ପ୍ରିୟତମ ପ୍ରାଣୁ ଅବଶୋଷ ।
ଧୋକ୍କାଦେଲା ଧନୁ ଯାତ ମରୀଚିକା ହୋଇ,
ଲହୁ ଲୁହ ଏକାକାର ତୁମ ପଥ ଚାହିଁ
ଛଳନା ବାହାନା କି ବୁଝଇ ବିଶ୍ୱାସ,
ବିରହ ବିଧୂରା ପ୍ରାଣ ତୁମେ ମୋ ନିଶ୍ୱାସ ।
ଅଳସୀ ନଈରେ ଆଜି ଆସିଛି ଜୁଆର,
ଶ୍ରୀକ୍ଷେତ୍ରରେ ଦେଖିଲି ମୁଁ ତୋ ରୂପ ସମ୍ଭାର
ସେଇ ଆଖି ସେଇ ହସ ସେଇ ମିଠା ଚାହାଣୀ,
ତୋତେ ଦେଖି ଗୋପଦାଣ୍ଡେ ହୋଇଥିଲି ବାୟାଣୀ ।
ତୁମକୁ ଦେଖିଲା ପରେ ଅସୁମାରୀ ଆଶା,
ଅଦିନେ ମଳୟ ସାଥେ ପ୍ରସୂନର ଭାଷା
ପ୍ରୀତିରେ ବତୁରି ଗଲି ହେ କଳାବଦନ ,
ମନହଂସୀ ଖୋଜୁଅଛି ତୋ ବାହୁବନ୍ଧନ ।
