ତୁମେ ଯେବେ ଅଛ
ତୁମେ ଯେବେ ଅଛ
ସକାଳର ବାସ୍ନାଭରା ଫୁଲ
ରାତ୍ରିରେ ମହକୁ ଥିବା ରଜନୀଗନ୍ଧା
ଦି ପହରର ବସନ୍ତ ଖରାରେ
ମିଠା ମିଠା ସ୍ମୃତି ଆଣେ
ମନରେ ମନରେ
ଶିହରଣ ପ୍ରତିଟି ଅଙ୍ଗରେ ଅଙ୍ଗରେ ।
ମୋ ବଳିଷ୍ଠ ସମ୍ମୋହନ
ନିର୍ଭିକ କରେ ମତେ
ପଥର ଭଲି ଟାଣ ହୋଇଯାଏ
ସୁଖରେ ଦୁଃଖରେ
ବିଶ୍ବାସର ପାହାଡ ଶିଖରେ ।
ଅନ୍ଧକାର ରାତିରେ ଡରେନି
ପାର୍କର ଭଙ୍ଗା ଛତୁ ଫୁଟା
ବେଞ୍ଚ ମଧ୍ୟ ଝୁରେନି
ମୋ ବାଡି ଅଗଣାରେ ଥିବା
ଗୋଲାପ ଗଛ ବି ଖୋଜେ ନି
ଡାମରା କାଉଟା
ଛାତ ଉପରେ ବସି
କା କା ଶଦ୍ଦ ବି କରୁ ନି ।
ତୁମେ ଥାଅ ବା ନ ଥାଅ
ସମସ୍ତେ ଭାବନ୍ତି
ତୁମେ ଅଛ ମୋ ନିକଟରେ
ତୁମେ ଅଛ ମୋ ଭାବନାରେ
ତୁମେ ଅଛ ମୋ ଅନ୍ତରରେ
ଟିକିଏ ବିଶ୍ବାସ
ତୁମ ଓ ମୋ ସମ୍ପର୍କ ଭିତରେ ।
ଆମର ସମ୍ପର୍କର ଢେ଼ଉରେ
ଏ ପ୍ରକୃତି ହସି ଉଠେ
ସ୍ମୃତିର ପେନ୍ଥା ପେନ୍ଥା ଫୁଲେ
ଡରିବା କାହାକୁ
ତୁମେ ଯେବେ ଅଛ
ମୋର ସାଥେ
ଆସ ପ୍ରିୟତମା
ମିଶିଯିବା ଆମେ ଦୁହେଁ
ଖିର ନୀର ସମ୍ପର୍କ ଭିତରେ ।।

