ତୁମେ ବିଶାଳ ଆକାଶ
ତୁମେ ବିଶାଳ ଆକାଶ
କଅଁଳି ଗଲାଣି ପର ସବୁ ଏବେ
ଝଡି ଯାଇଥିଲା ଡେଣାରୁ ତାର
ପକ୍ଷୀ ମନେ ଆଜି ଖୁସି ଉଛୁଳାଏ
ତୁମରି ପ୍ରେମର ମହାସାଗର I
ଶୁଷ୍କ ତରୁଡାଳ ପଲ୍ଲବି ଗଲାଣି
ଫୁଲ ଆସିବାକୁ ନାହିଁ ଲୋ ଡେରି
ସ୍ମୃତିକୁ ସାଉଁଟି ନିରିହ ପକ୍ଷୀର
ଆଖିତଳୁ ଲୁହ ପଡୁନି ଝରି I
ଥକି ଯାଇଥିଲା ଉଡନ୍ତା ଚଢେଇ
ଡେଣା ହୋଇଥିଲା ଶକତି ହୀନ
ଆକାଶଟା ଆଉ ନିଜର ନଥିଲା
ଭାଙ୍ଗି ଯାଇଥିଲା ତାହାର ମନ I
ଫୁଲଶର ଟିଏ ଫିଙ୍ଗିଲ ତା ଆଡେ
ଲକ୍ଷଭେଦ କଲା ଛାତିରେ ତାର
ସେ ବିଚରା ଆଉ ଯିବ ବା କୁଆଡେ
ଆଜ୍ଞାବହ ହେଲା ନୁଆଁଇ ଶିର I
ତୁମରି ଭିତରେ ଖୋଜିଲା ନିଜକୁ
ଖୋଜି ଖୋଜି ପାଇଗଲା ସେ ଦିନେ
ତୁମେ ଥିଲ ତାର ଜୀବର ଜୀବନ
ଯାହାକୁ ସେ ଦେଖିଥିଲା ସପନେ I
ତୁମରି ମନର ବିଶାଳ ଆକାଶ
ଉଡାଣ ପାଇଁ ସେ ନେଇଛି ବାଛି
ତୁମେ ହିଁ ଏବେ ତା ପ୍ରିୟତମା ସଖୀ
ତୁମଛଡା ସିଏ ଲୋଡୁନି କିଛି I
