ତୁମ୍ଭ ପ୍ରେମ ପ୍ରୀତି ଭାସେ
ତୁମ୍ଭ ପ୍ରେମ ପ୍ରୀତି ଭାସେ
ତୁମ୍ଭ ଅଧରେ ଯାହା ପ୍ରକାଶିତ ଧାରା
ଭାସମାନ ହୋଇ ଆସେ... ।
କ୍ଷଣେ ପ୍ରତି କ୍ଷଣେ କର୍ଣ୍ଣେ ସେ ବଖାଣେ
ତୁମ୍ଭ ପ୍ରେମ ପ୍ରୀତି ଭାସେ... ।।
ପ୍ରଣୟ ସୁଧାର ଯାହା ଅଛି ମାନସେ
ଯେବେ ପ୍ରକାଶ ଯେ କର... ।
ଇତସ୍ତତ ମୋର ଚେତନା ଚରିତ
ହୃଦ କ୍ଷତ ଯୁକ୍ତକର... ।।
ଅଶେଷ ପ୍ରେମ ତୁମ୍ଭ ଅମ୍ବୁଦ ସମକ୍ଷ
ବାରିବାହ ଯେବେ କର... ।
ଦ୍ଵନ୍ଦ୍ୱଭିତ ପୂର୍ଣ୍ଣ ଉର ଅନ୍ତ ଛିନ୍ନ
କି କରିବି ପଟାନ୍ତର... ।।
ମୁଦ୍ଗର ପ୍ରେମର ଆଗମନ ଦେଖି
ପ୍ରତିଉତ୍ତର ମୁଁ ଖୋଜେ... ।
ପ୍ରୀତିଜନକ ସେ ପ୍ରେମ ପ୍ରୀତି ଧାରା
ଅନୁକମ୍ପା ହୃଦ ସାଜେ... ।।
ସେ ପ୍ରେମ ମୌକ୍ତିକ ସାଉଁଟିବା ପାଇଁ
ସ୍ଥିର ଚିତ୍ତେ ଯେବେ ଭାଳେ... ।
କରେ ପରିସ୍ଥିତି ଥଟ୍ଟା ପରିହାସ
ମୋ ପ୍ରେମ ବିପକ୍ଷ ଛଳେ... ।।
ପ୍ରେମ ପୁଷ୍ପମାନ ପ୍ରସୂନ ଉଦ୍ୟାନେ
ପ୍ରସ୍ଫୁଟିତ ପୁଷ୍ପ ପ୍ରେମର... ।
ଯେବେ ତୋଳି ମୁହିଁ ଗୁନ୍ଥିବାର ପାଇଁ
ପ୍ରୀତି ମାଳା ମନୋହର... ।।
ଗୁଚ୍ଛକ ସୁମନ ହସ୍ତେ ଭରି ମୁହିଁ
ଯେବେ ଆଣିବା କୁ ଚାହେଁ... ।
ସକ୍ଷମ ହୁଏନି ଦୂର୍ବଳ ର ଚିତ୍ତେ
ମୌନ ଅଧରେ ଥାଏ... ।।
କଣ୍ଟକିତ ଘେରା ପ୍ରେମର ଉଦ୍ୟାନ
କ୍ଷତ ରୁଧିର ଯେ କରେ... ।
ଲହୁ ଝରିଯାଏ ଅଶ୍ରୁ ଭରି ଯାଏ
ନୟନ ଯୁଗଳ ଭରେ... ।।
ସନ୍ଦେହ ମୋ ନାହିଁ ତୁମ ପ୍ରେମ ପାଇଁ
ନିର୍ମଳ ନିଃସ୍ୱାର୍ଥ ପୂର୍ଣ୍ଣ... ।
ବିରସ ଯାହା ମୋ ମାନସ କର୍ଣ୍ଣେ
ଉତ୍କଟ ଉତ୍କର୍ଷ ଘନ... ।।