ତୁମ ସ୍ମୃତି ଚିହ୍ନ
ତୁମ ସ୍ମୃତି ଚିହ୍ନ
ନୀଳ ନୀଳିମାରେ ଜୋଛନା ଢାଳିଣ
ଖିଲି ଖିଲି ହସେ ଜହ୍ନ
ମୋ ମୁଖ ମଣ୍ଡଳେ ଦେଖି ପାରିଛି କି
ତୁମ ମଧୁସ୍ମୃତି ଚିହ୍ନ !!
ମୋ ମନ ସାଗରେ ଲହଡି ଭାଙ୍ଗୁଛି
ପୁରୁଣା ଦିବସମାନ
ତୁମ ସାନିଧ୍ୟର ମଧୁର ମୁହୂର୍ତ୍ତ
ସୁମଧୁର ସ୍ମୃତିମାନ ॥
ବୈଶାଖରେ ତୁମେ ଅଦିନିଆ ଝଡ
ଜ୍ୟେଷ୍ଠେ ଧୂ ଧୂ ଖରା
ଆଶାଢରେ ତୁମେ ଝରାଇଲ ଲୁହ
ଶ୍ରାବଣରେ ବାରିଧାରା ॥
ଭାଦ୍ରବରେ ତୁମେ ନୂଆ ଆଶା ଦେଇ
ନବାନ୍ନ ଖୁଆଇ ଦେଇ
ଆଶ୍ୱିନରେ ତୁମେ କାଶତଣ୍ଡୀ ମେଳେ
ହାତଠାରି ହସିଦେଲ
ଶରତର ସେହି ନିର୍ମଳ ଗଗନ
ସବୁଜିମା ପରିବେଶ
ସେ ଶସ୍ୟ ଶ୍ୟାମଳା ଧରଣୀର ମେଳେ
ତୁମ ମଧୁଝରା ହସ ॥
ସେହି ଶାରଦୀୟ ପାର୍ବଣ ବେଳାରେ
ତୁମ ସହ ସେଇ ଦିନ
ଶୁଭ୍ର ଜୋଛନାରେ ଝଲସି ଉଠଇ
ସେ ମଧୁ ମୁହୂର୍ତ୍ତମାନ ॥
କାର୍ତ୍ତିକରେ ତୁମେ ଅମା ଅନ୍ଧକାରେ
ଜାଳି ଦେଇ ଦୀପାବଳି
ପୂର୍ଣିମାର ଚାନ୍ଦ ଦେଖାଇଣ ତୁମେ
ବୋଇତରେ ଗଲ ଚାଲି ॥
ରଚିଗଲ ତୁମେ କାର୍ତ୍ତିକର ରାସ
ଧରମର ପଥ ଧାରେ
ବାଲି ଯାତରାରେ ବୁଲାଇଲ ମୋତେ
ହାତେ ଧରି ସରାଗରେ ॥
ମାର୍ଗଶିର ମାସେ ମୋ ସାଥେ ଲୋଟିଲ
ସୁନାର ଧାନ କ୍ଷେତେରେ
ମାତା ଲକ୍ଷ୍ମୀଙ୍କର ଆବାହନ କରି
ହସାଇ ଧନ ଧାନ୍ୟରେ ॥
ପଉଷରେ ତୁମେ ଶୀତରେ ଥରାଇ
ବଡଦିନ ଭେଟି ଦେଲ
ପ୍ରଭୁ ଯୀଶୁଙ୍କର ସ୍ମୃତି ବାଣୀ ମଧ୍ୟେ
ପର କରି ଚାଲିଗଲ ॥
ପ୍ରଭୁ ଜଗନ୍ନାଥ ପୁଷ୍ୟାଭିଷେକରେ
ସର୍ବ ଦେବଦେବୀ ମେଳ
ପ୍ରଚଣ୍ଡ ଶୀତରେ କମ୍ବଳ ଘୋଡାଇ
ପର କରି ଚାଲିଗଲ ll
ନୂଆ ବରଷରେ ମନ ହରଷରେ
ନୂଆ ଆଶା ଦେଖାଇଲ
ମାଘ ମାସେ ତୁମେ ବାଘ ଶୀତ ହୋଇ
ଦୁଃଖର କାରଣ ହେଲ ॥
ମକର ସଂକ୍ରାନ୍ତି ସରସ୍ବତୀ ପୂଜା
ଅନ୍ୟ ବାଟ ଦେଖାଇଲା
ହାତ କାଟିଦେଇ ଫଗୁଣରେ କିଏ
ରକତେ ରଙ୍ଗ ବୋଳିଲା ॥
ମୃଦୁ ମଳୟରେ ମନରେ ପ୍ରୀତିର
ଅବିରକୁ ବୋଳିଦେଲ
ରାଧା କୃଷ୍ଣଙ୍କର ମେଲଣ ଦେଖାଇ
କୃଷ୍ଣ ପ୍ରେମେ ହଜାଇଲ ॥
ଚଇତରେ ତୁମେ ଚଇତାଳି ହୋଇ
ଦିଗ ବଦଳାଇ ଦେଲ
ଦାରୁଣ ନିଦାଘ ଉତ୍ତପ୍ତ ଖରାରେ
ମୋତେ ଫିଙ୍ଗି ଚାଲିଗଲ ॥
ତୁମ କଥା ସବୁ ଭାବୁ ଭାବୁ ମୁହିଁ
ରାତି ମୋର ସରିଗଲା
ଜହ୍ନ ତାରାମେଳେ ରୋଷଣୀ ରଚନା
କରି ପୁଣି ଚାଲିଗଲା॥

