ତୁମ କଥା ମନେ ପଡେ
ତୁମ କଥା ମନେ ପଡେ
ତୁମ କଥା ମନେ ପଡେ
***********************
ସବିତା ଉଇଁଲେ ଶୀତୁଆ ସକାଳେ
ଦୂର ପାହାଡ ଉହାଡେ,
ନିଦୁଆ ନୟନେ ମନ ବୃନ୍ଦାବନେ
ତୁମ କଥା ମନେ ପଡେ।୧।
ଆହାର ବିହାରେ ଖଗ ପର ଯେବେ
ସୁନୀଳ ଆକାଶେ ଝାଡେ,
କିଚିରି ମିଚିରି ପକ୍ଷୀଙ୍କର ରାବେ
ତୁମ କଥା ମନେ ପଡେ।୨।
କ୍ଳାନ୍ତ ବାଟୋଇଟି କ୍ଳାନ୍ତକୁ ମେଣ୍ଟାଏ
ପାଦପ ଛାୟାର ନୀଡେ,
ମୋ କ୍ଳାନ୍ତ ମନରେ ଭାବନା ରାଜ୍ଯରେ
ତୁମ କଥା ମନେ ପଡେ।୩।
ସୁଲୁସୁଲୁ ବାଆ ଲାଗେ ମନ ଛୁଆଁ
ନଈ ଦେଶ କଡେ କଡେ,
ମନେ ମୋ ଭରଇ ତୁମ ରୂପ ଛଇ
ତୁମ କଥା ମନେ ପଡେ।୪।
ଅଳସୀ ଚନ୍ଦ୍ରମା ଆଣଇ ପୂର୍ଣ୍ଣିମା
ବିଞ୍ଛି ଜ୍ଯୋତ୍ସ୍ନା ଗାଆଁ ଦାଣ୍ଡେ,
ଶୀତଳ କିରଣେ ମନ ଉନ୍ମାଦନେ
ତୁମ କଥା ମନେ ପଡେ।୫।
ଗହନ ନିଶିରେ ନିଦ୍ରାର ପ୍ରହରେ
ଆଖିର ସ୍ୱପ୍ନ ଉହାଡେ,
ରାତି ସ୍ୱପ୍ନ ଛବି ଉଷା ଯେବେ ଭାବେ
ତୁମ କଥା ମନେ ପଡେ।୬।
ଶୟନେ ସପନେ ଅବା ଜାଗରଣେ
ତୁମ ଛବି ମନେ ଲୋଡେ,
ଖରା କି ବରଷା ଶୀତ କି ବସନ୍ତେ
ତୁମ କଥା ମନେ ପଡେ।୭।
©ନରେନ୍ଦ୍ର ସାହୁ,ଡଭାର,ଗଂଜାମ।