STORYMIRROR

SUBASH CHANDRA KHUNTIA

Tragedy Inspirational

3  

SUBASH CHANDRA KHUNTIA

Tragedy Inspirational

ତୁମ କଥା ମନେ ପଡେ

ତୁମ କଥା ମନେ ପଡେ

1 min
390

ମନେପଡେ ବାପା ତୁମ କଥା ମୋର

          ସବୁ ସମୟରେ ପୁଣି

ଯେତେବେଳେ ଯାହା ଦରକାର ହୁଏ

          ଦେଉଥିଲ ତୁମେ ଆଣି


ପିଲାବେଳେ କାନ୍ଦେ ଚକଲେଟ୍ ପାଇଁ

           ଆଣି ମୋତେ ଦେଇଥାଅ

କିଛି ଭଲ ମୁଁହି ପାଠ ପଢିଦେଲେ

           ଛାତିକି ଫୁଲାଇ କୁହ


ଶିକ୍ଷକ ଟିଏ ତ ତୁମେ ଥିଲ ବାପା

         ଶୃଙ୍ଖଳା ତୁମର ନିତି

ବିଶୃଙ୍ଖଳା ତୁମେ ଦେଖ ଯଦି କେବେ

         ରକ୍ତ ତୁମ ଯାଏ ତାତି


ସମସ୍ତଙ୍କୁ ଦେଖ ସମାନ ଆଖିରେ

          ପାତର ଅନ୍ତର ନାହିଁ

ଯେତେ ଦୁଃଖ ଆସେ ସହିଯାଅ ତୁମେ

         କେବେ ତ ନ ଥାଅ କହି


କାହାଠାରୁ ତୁମେ ଉଧାର ନିଅନି

          ଧର୍ମ ପଥେ ସଦା ଥାଅ

କେଉଁଥିରେ ତୁମେ ଅଭାବ ରଖନି

        ସଦା ଆମ ପଛେ ରୁହ


ତୁମ ମାଡ ଗାଳି ଭାରି କଷ୍ଟ ଲାଗେ

          ସେଦିନ ସେ ପିଲା ଦିନେ

ରୋମାନ୍ଥନ କଲେ ଆଜି ସେହି ସବୁ

          ଆଖି ଲୁହ ଖସି ପଡେ


ଭଲ ପଢିଗଲେ ସବୁ ଦେବି ତୋତେ

          ବାଜି ତ ଲଗାଇଥାଅ

ପାଠ ପଢା ପାଇଁ ଯଦି ଲୋଡା ହୁଏ

           ନିଜକୁ ଭି ବିକି ଦିଅ


ଯିଏ ଚାହିଁଲା ଯା ପଢିବା ପାଇଁକି

         ସାହସ ତୁମେ ତ ଦେଲ

ତୁମ ଚାରି ପୁଅ ବିଦ୍ୟା ଅରଜିଲେ

         ରଖିଗଲେ ତୁମ ମାନ


ତୁମ ଝିଅ ମାନେ ଖୁସିରେ ରହିଲେ

         ମାନି ତୁମ ରୀତି ନୀତି

ଅଧର୍ମରେ କେହି ଯାଇ ତ ନାହାନ୍ତି

         କର୍ମ ଅଛି ତାଙ୍କ ସାକ୍ଷୀ


ତୁମ ଆଶୀର୍ବାଦ ସଦା ରହିଥାଉ

         ଏ ଜୀବନ ଚଲାପଥେ

ସବୁ ଅସମ୍ଭବ ସମ୍ଭବ ତ ହୁଏ

         ତୁମେ ଯେବେ ଥାଅ ସାଥେ


ଆଜି ଏହି ଫାଦର୍ସ ଡେ ରେ ତ ପୁଣି

        ତୁମ କଥା ଲେଖିଗଲି

ବାପାର କରଜ ସୁଜି ହୁଏ ନାହିଁ

        ଜାଣି ଭି ଅଜଣା ହେଲି


ତୁମରି ଆଦର୍ଶ ତୁମରି ସାଧୁତା

         ଇତିହାସ ହୋଇଯିବ

ଗୀତା ବାଇବେଲ୍ ହାର ମାନି ଯିବ

          ବାପା ପରି କିଏ ହେବ ।


         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy