ତୁମ ଜୁଇରେ ନିଆଁ ଦେଇନଥିଲି
ତୁମ ଜୁଇରେ ନିଆଁ ଦେଇନଥିଲି
ମୁଁ ତୁମ ଜୁଇରେ ନିଆଁ ଦେବାକୁ ଆସିନଥିଲି
କାରଣ ମୁଁ ଜାଣିଥିଲି ତୁମେ ମରିପାରିବ ନାହିଁ
ତୁମେ ମରିବାର ସତ ଖବର ଯିଏ ଦେଇଥିଲା
ସିଏ ମିଛୁଆ ଥିଲା
ସିଏ ତୁମେ ନଥିଲ
କେଉଁ ଏକ ଶୁଷ୍କ ପତ୍ର ହାଲକା ପବନରେ
ଗଛରୁ ପଡ଼ିଥିଲା
ମୋ ଆଖି ତୁମ ଲକ୍ଷ୍ୟରେ ଏବେ ବି ଆବଦ୍ଧ ଅଛି
ମୁଁ ଯାହା ଦେଖୁଛି ଯାହା ଭାବୁଛି
ତାହା ଦିନେ ତୁମର ଲକ୍ଷ୍ୟ ଥିଲା
କାହିଁ କିଛି ବି ବଦଳିନି
ତୁମ ହାତ ମୋ ଆଙ୍ଗୁଳିରେ ଶ୍ୱାସ ନିଏ
ମୁଁ ଲେଖିବାକୁ ଯେବେ କାଗଜ କଲମ ଉଠାଏ
ତୁମକୁ ବସିଥିବାର ନିଜ ଚୌକିରେ ହିଁ ପାଏ
ଦେହରେ ଯେତେ ଲହୁ ସବୁ ତୁମ ପାଇଁ ବହେ
ମୋ କଥା ଭିତରେ ଲୁଚିକି ତୁମ ଜିଭ କହେ
ମୋ ଦୁଃଖରେ ତୁମେ
ମୋ ଯନ୍ତ୍ରଣାରେ ତୁମେ
ତୁମ ସମାଧିରେ ଯିଏ ତୁମ ନାଆ ଲେଖିଛି
ସିଏ ମିଛ ଲେଖିଛି
ତୁମ ସମାଧିରେ ମୋତେ ପୋତା ହୋଇଛି
ତୁମେ ମୋ ଭିତରେ ଏବେ ବି ଜୀବିତ ଅଛ
କେବେ ସମୟ ମିଳିଲେ ନିଆଁ ଦେବାକୁ ଆସିବ।
ଉର୍ଦ୍ଦୁ - ନିଦା ଫାଜ୍ଲି
ଉର୍ଦ୍ଦୁର ଏହି କବିତାରେ ମୁସଲିମ ପରମ୍ପରା ଅନୁସାରେ ଲେଖା ଥିଲା। ମୁଁ ଏହାକୁ ହିନ୍ଦୁ ପରମ୍ପରା ଅନୁସାରେ ଲେଖିଛି।ତାଙ୍କ ବାପାଙ୍କ ଦେହାନ୍ତରେ ମ୍ରିୟମାଣ ହୋଇ ସେ ଏହି କବିତା ଲେଖିଥିଲେ।