ତୁମ ଗାଁ
ତୁମ ଗାଁ
ତୁମ ଗାଁ ନଈ
ସ୍ମିତ ହସ ହସି
ଆମ ଗାଁ ଦେଇ ବହେ
ଆମ ଗାଁ ମେଘଟା
ମାନେ ନାହିଁ ମନା
ତା ଦେହେ ବରଷି ଯାଏ ।
ତୁମ ଗାଁ ଆକାଶେ
ଜହ୍ନ ଯେବେ ଆସେ
ରୂପେଲି ଜୋଛନା ରାଗେ
ଆମ ଗାଁ ସରସୀ
କୁମୁଦିନୀ ହୃଦେ
ଅୟୁତ ସପନ ଜାଗେ ।
ତୁମ ଗାଁ ପବନ
ମତୁଆଲା କରେ
ଶୀତଳ ପରଶ ଦେଇ
ଆମ ଗାଁ ବଗିଚା
ଫୁଲେ ଫୁଲେ ଭରେ
ପରାଗର ମଧୁଛାଇ ।
ତୁମ ଗାଁ ବସନ୍ତ
ଚୁପି ଚୁପି ଆସି
ବସେ ଆମ୍ବତୋଟା ମାଳେ
ଆମ ଗାଁ ମହକେ
ବଉଳ ବାସ୍ନାରେ
କୋଇଲି ମହ୍ଲାର ତୋଳେ ।
ତୁମ ଗାଁ ସୁରୁଜ
ବାଙ୍କ ଚାହାଣିରେ
ଦେଖଇ ବଉଦ ଫାଙ୍କେ
ଆମ ଗାଁ ପଦୁଅଁ
ଇସାରାରେ ତାର
ଲାଜରେ ଓଢଣା ଢାଙ୍କେ ।
ତୁମ ଗାଁ ରାସ୍ତାରେ
ଡାକଵାଲା ଯେବେ
ଚିଠି ଚିଠି ବୋଲି ଡାକେ
ଅଳକା ନଈର
ଏକୂଳରେ ଥାଇ
ମୋ ହୃଦୟେ ସ୍ପନ୍ଦନ ଜାଗେ ।
ତୁମ ଗାଁ ଆଉ
ଆମ ଗାଁ ମଝିରେ
ଅଳକା ଲହଡି ଭାଙ୍ଗେ
ସେଇ ଲହଡ଼ିରେ
ସମ୍ପର୍କର ନାଆ
ଭାସେ ଆକାଂକ୍ଷା ତରଙ୍ଗେ ।