ତୁ ମୋର
ତୁ ମୋର
ତୁ ମୋର ସାହାସ ତୁହି ମୋର ଧର୍ଯ୍ୟ
ତୁହି ମୋର ସ୍ବପ୍ନ ରାତି
ତୋହରି ପାଇଁକି ଏ ଜୀବନ ଚଳେ
ତୁହି ଲୁହ ପୁଣି ତାତି ।
ଶୁଖିଲା ଅଧରେ ହସ ଭରି ଦେଉ
କରୁଣା ବାରିଧି ଢାଳି
ସେ ପରଶ ପାଇ ବିଶ୍ଵାସେ ଆସଇ
ଆତୁରେ କରେ ମୁଁ ଅଳି ।
ହୃଦୟ ଆକାଶେ ତୋର ଚିତ୍ର ଭାସେ
ଧୀରେ ଲିଭି ଯାଏ କୁହୁ
ବିକଶିତ ହୁଏ ଶତ ପାରିଜାତ
ପାଇ ତୋ ସେନେହ ମହୁ ।
ତୋ ପାଦକୁ ସେବି ଧନ୍ୟ ମୋ ଜୀବନ
ତୁହି ମୋ ଅମାର କୋଠି
ତୁହି ଥିଲେ ପାଶେ ଶ୍ମଶାନ କୋଳରେ
କୁସୁମ ଉଠଇ ଫୁଟି ।
ଦୁର୍ଦ୍ଦିନରେ ପଡି ଡାକୁଛି ମାତ ଲୋ
ସଜାଡିଣ କ୍ରତୁ ପୂଜା
ଶାରଦ ପାର୍ବଣେ ଆସ ମର୍ତ୍ତ୍ୟ ଧାମେ
ଉଡାଇ ବିଜୟ ଧ୍ୱଜା ।
କୋଟି ସୌନ୍ଦର୍ଯ୍ୟରେ ଭରପୁର ଶିରୀ
ବ୍ରହ୍ମାଣ୍ଡ ସୁନ୍ଦରୀ ନାମ
ଦଶ ଭୁଜା ତୋର ଅସ୍ତ୍ର ଶସ୍ତ୍ରେ ଭରା
ରୂପ ତୋର ଅନୁପମ ।
ଦୁର୍ଲଭ ଦୁର୍ମୂଲ୍ୟ ତୋ କରୁଣା ବଳ
ଯିଏ ଡାକେ ସିଏ ପାଏ
ଅନ୍ୟାୟ ଅନୀତି ଅସହ୍ୟ ତୋହର
କ୍ରୋଧ ରୁଷ୍ଟ ବୃଦ୍ଧି ହୁଏ ।
ଭକତ ଉପରେ ଅନୁଗ୍ରହ କରି
ତ୍ୟାଗ କରୁ ସୁଖ ଶାନ୍ତି
କ୍ଷିପ୍ର ଗତି ତୋର ବିଦ୍ୟୁତ୍ ଯେସନେ
ସ୍ମରିଲେ ଆସୁ ଲୋ କତି ।
ତୋ ଦୁଆରେ ନାହିଁ ପର କି ଆପଣା
ନାହିଁ କେବେ ପକ୍ଷପାତ
ତୁହି ସାହା ହେଲେ ମରଣ ମୁହଁରୁ
ଉଠି ଆସେ ତୋର ଭକ୍ତ ।
ମହିଷମର୍ଦ୍ଦିନୀ ମନ୍ଦାର ମାଳିନୀ
ପାର୍ବତୀ ଗଉରୀ ମାତା
ପୂଜା ପାଉ ଥାଅ ସାରା ସଂସାରରେ
ଆ ଲୋ ମା ଜଗତଜିତା ।