ମୁଁ ଗଙ୍ଗଶିଉଳି
ମୁଁ ଗଙ୍ଗଶିଉଳି
ନିଶାର ସଂଜ୍ଞା ଖୋଜୁଛି ଆଜି
ନିର୍ଜନ ଅମାବାସ୍ୟାର ତନ୍ଦ୍ରା କାଳେ
ଏକାକିନୀ ଶବ୍ଦର ବ୍ୟାଖ୍ୟା କରୁଛି
ଝଡ଼ ଉଠେ ଅନ୍ତର୍ମନର କୋଳାହଳେ।
ନିଶାର କବଳେ ମୁଁ ଆପ୍ରାଣ ବିଧୌତା
ଲୋଟି ପଡ଼େ ଉମା କିଞ୍ଚିତ୍ ଶକ୍ତ ହେଲେ
ଏ ଯେଉଁ ଅନୁଭବ ମୁଁ ସାଉଁଟି ଚାଲିଛି
ବଣମଲ୍ଲୀ ବୋଲାଏ ସକାଳ ହେଲେ।
କାହିଁ ମୁଁ ଅନୁତପ୍ତ?
ଏଇ ନିଶାରେ ଜନ୍ମ ବୋଲି!
ଦୁନିଆ ଭୁଲେ ନାହିଁ ଭୂମିରୁ ନିଏ ଉଠାଇ
ମହକରେ ମୋର କି ମାଦକତା ଖାଲି ।
ମୁଁ ଗଙ୍ଗଶିଉଳି ପରିଚୟ ନେଇ
ନିଶାର ରାଣୀ ନାମେ ଅନୁକମ୍ପା ପାଇ
କେଉଁ ଅପରାଧେ ମୋର ସୀମିତ ଆୟୁଷ
ଆଶ୍ଚର୍ଯ୍ୟ ଯେ !
ପୂଜା ଫୁଲ ହୁଏ ବୃନ୍ତଚ୍ୟୁତ ହୋଇ ।
କବିର କବିତା ମହକି ଉଠନ୍ତା କି
ଠିକ୍ ମୋର ଦୁଃଖ ଦୁନିଆ ବୁଝନ୍ତା କି
ନିଶାର ସଂଜ୍ଞା ମୁଁ ଖୋଜି ନିଅନ୍ତି
ସୁବାସ ସହିତ ଆୟୁଷର ଯୁଗଳବନ୍ଦୀରେ
ଏଇ ଛୋଟ ଆଶା ପୂରି ଉଠନ୍ତା କି ।