ଦାରୁ ଦିଅଁ
ଦାରୁ ଦିଅଁ
ଦାରୁ ଦିଅଁ ପ୍ରଭୁ ବଡ ଦେଉଳରେ
ବସିଛ ମଉନ ହୋଇ
ରତ୍ନସିଂହାସନେ ଅତିଆନନ୍ଦରେ
ସାଙ୍ଗରେ ଭଉଣୀ ଭାଇ।।
ଭକତର ଡାକ ନଶୁଭେ କି ପ୍ରଭୁ
ଦାରୁବ୍ରହ୍ମ ଭାବଗ୍ରାହୀ
ଚକାନୟନରେ ସବୁ ଦେଖୁଥାଅ
ଭକ୍ତ ଦୁଃଖ ଦିଶେ ନାହିଁ।।
ବିଶ୍ଵରେ ମାତିଛି କରୋନା ରାକ୍ଷସ
ଅକାଳେ ନିଏ ଜୀବନ
ବାପ ଜୁଇ ଚିତା ନ ଲିଭୁଣୁ ଜଳେ
ପୁଅ ଚିତା ଏଠି ଜାଣ।।
ହାହାକାରମୟ ଏ ଭବସାଗର
ଜୀବନଟା ତୁଚ୍ଛ ଲାଗେ
ତୁମପରି ଦାରୁବ୍ରହ୍ମ ଥାଉ ଥାଉ
କହିବ ସେ କାହା ଆଗେ।।
ଭକ୍ତ ଶୂନ୍ୟ ହେଲେ ନବକଳେବର
କିପରି ହୋଇବ କୁହ
ଦାରୁ ଖୋଜିବାକୁ କିଏ ଆଉ ଯିବ
କୁହ ଆହେ କଳାଦିଅଁ।।
ଭକତର ବନ୍ଧୁ ଆହେ କୃପାସିନ୍ଧୁ
ଏବେତ ସଦୟ ହୁଅ
ଭକତ ଗୁହାରୀ ଶୁଣ କୃପା କରି
ଆହେ ପ୍ରଭୁ ଦାରୁ ଦିଅଁ।।
ତୁମ ସୃଷ୍ଟି ପ୍ରଭୁ ତୁମେ ରକ୍ଷାକର
ଅନ୍ୟଥା ବିଲୟ ହେବ
କରୋନା ବିନାଶି ଏ ବିଶ୍ଵବାସୀଙ୍କୁ
ଦିଅହେ ପ୍ରଭୁ ଅଭୟ।।