STORYMIRROR

Banalaxmi Mohanty

Others

4  

Banalaxmi Mohanty

Others

କବିତା

କବିତା

1 min
293


କବିତା ଗୋ ତୁମେ କବି କଳ୍ପନାର 

ଅନୁଭବୀ ଅନ୍ତଃସ୍ବର 

କଳ୍ପନା ରାଇଜେ ଘୂରି ବୁଲି କବି

ଖଞ୍ଜଇ ଶବ୍ଦ ସମ୍ଭାର।। 


କବିତା ଗୋ ତୁମେ କବି କଳ୍ପନାର

ସ୍ନିଗ୍ଧ ଶାନ୍ତ ଭାବଧାରା

ଶବ୍ଦ ଅଳଙ୍କାରେ ସୁସଜ୍ଜିତ ରୂପ

ମାନସ କନ୍ୟା ପରା।। 


ତୁମେ ଭରିଦିଅ ବିରସ ମନରେ

ଆଶା ଆଉ ଉନ୍ମାଦନା

ବଞ୍ଚିବା ପାଇଁ କି ସାହାରା ତୁମେ ହିଁ 

ବଞ୍ଚେନା ସେ ତୁମ ବିନା।।


ତୁମରି ପରଶେ ଦୁଃଖ ଭୁଲିଯାଏ

ତୁମେ ତା' ସାହା ଭରସା

ତୁମକୁ ନେଇ ସେ ରଚନା କରଇ

ଜୀବନର ଚଉତିଶା।।


ମାନବ ସମାଜ ଚିତ୍ର ପୁଣି ସବୁ

ତୁମ ଦେହେ ଆଙ୍କିଦିଏ

ଓଡିଆ ସଂସ୍କୃତି ପରମ୍ପାରା ମାନ

କେତେ ଯେ ବଖାଣି ଥାଏ।। 


ପ୍ରେମ ପ୍ରଣୟର ଓ ବିରହ କାହାଣୀ

ଆଈମା କାହାଣୀ କହେ

ଆଧ୍ୟାତ୍ମିକ ଭାବ ତୁମରି ମାଧ୍ୟମେ

କବି ଜାଗ୍ରତ କରାଏ।। 


ଦେଶପ୍ରେମ ବହ୍ନି ଜାଳିଦିଅ ତୁମେ

ଦେଶବାସୀଙ୍କ ପରାଣେ

ଦେଖି ତାଙ୍କ ଶକ୍ତି ଯୁଦ୍ଧରେ ଅରାତି

ପଛଘୁଞ୍ଚା ଦିଏ ରଣେ।।


କବିତା ଗୋ ତୁମେ ସମାଜରେ ଭର

ଶିକ୍ଷା ଓ ସଂସ୍କାର ଜ୍ଞାନ

ଅମା ଅନ୍ଧକାର ଦୂରେଇ ଦେଇଣ

ଆଲୋକ କର ପ୍ରଦାନ।। 


କବିତା ଗୋ ତୁମେ ଭାଷା କଲ୍ଲୋଳିନୀ

ଭାବ ଅମୃତର ଝରା

ତୁମରି ସାନ୍ନିଧ୍ୟ ପାଇଣ କବିଟି

ଧନ୍ୟ ହୋଇଯାଏ ପରା।। 


ସେ ଅମୃତ ଧାରା ଜଗତ ହିତରେ

କବିଟି ପରଶି ଦିଏ

ତୁମ ଅବଦାନ ପାଇଁ କବିଟିଏ

ସଭିଙ୍କର ପ୍ରିୟ ହୁଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍