STORYMIRROR

DR PRASANTA KUMAR BISWAL

Classics

4  

DR PRASANTA KUMAR BISWAL

Classics

ଜୀବନଯାତ୍ରା

ଜୀବନଯାତ୍ରା

1 min
209

ଜନ୍ମରୁ ଆରମ୍ଭ  ଯାତ୍ରା କରେ ଜୀବ

   ମୃତ୍ୟୁରେ ହୁଅଇ ଅନ୍ତ ,

ଏ ଭବେ ଜନ୍ମିତ  ମୃତ୍ୟୁ ଯେ ନିଶ୍ଚିତ 

   କାଳ କରେ କବଳିତ ।-1


ମାତୃ ଗର୍ଭେ ରହି  କଷ୍ଟେ ଭ୍ରମୁଥାଇ

    ଈଶ ଦୟାରୁ ଜନ୍ମିଲୁ,

ଜନ୍ମ ମାତ୍ରେ ତୁହି  ଅଜ୍ଞାନରେ ରହି

  ମା"କୋଳେ ଦିନ କାଟିଲୁ ।-2


ତୋତେ ନେଇ କେତେ ଆଶା ବାନ୍ଧେ ସତେ

      ଅନ୍ଧର ଲଉଡି ଥିଲୁ,

ବଡ ଆନନ୍ଦରେ  ବାପା ମା" ସ୍ନେହରେ

    ଶୈଶବ ତୁ ବିତାଇଲୁ।-3


ବାପା ମାଆ ତୋର   ଚଳନ୍ତି ଠାକୁର

    ଶିଖାନ୍ତି କେତେ ସଂସ୍କାର,

ମନ ତ ଚଞ୍ଚଳ   କରେ ସେ ବ୍ୟାକୁଳ

     ଭ୍ରମିଲୁ ହୋଇ ଅସ୍ଥିର ।-4


ତରୁଣ ବୟସେ  ତରୁଣୀ ଆବେଶେ

     ସବୁ ତ ହେୟ କରିଲୁ,

ଦିବ୍ଯ କଥା ଯେତେ ନ ରୁଚିଲା ତୋତେ

    ଅଭକ୍ଷ୍ୟ ସବୁ ଗ୍ରାସିଲୁ।-5


କାମନା ବାସନା   ଲଳନା ରସନା

    ଯେତେ ଆବୋରି ବସିଲୁ,

ଏ ମର ଶରୀରେ  ଭ୍ରମୁ ଅହଂକାରେ

   ଅମର ମନେ ଭାବିଲୁ।-6


ଏଭଳି କୁମର   ସ୍ୱପ୍ନରେ ବିଭୋର

    ଯୁବା ବୟସ ବିତିଲା,

ରୂପେ ମୋହ ହେଲୁ  ଯୌବନେ ରସିଲୁ

   ସଂକଳ୍ପ ଦୂରେଇ ଗଲା ।-7


ଦାନ୍ତ ତ ଗଳିଲା   ବାଳ ତ ପାଚିଲା

    ଚମ ଯେ ଧୁଡୁକି ଗଲା,

ସବୁ ରୋଗ ନେଇ  ଶରୀର ବସଇ

   ପ୍ରୌଢ ଅବସ୍ଥା ଆସିଲା ।-8


ଶୈଶବ କିଶୋର  ଯୁବାରୁ ପ୍ରୌଢର

    ଯାତ୍ରା ସବୁ ମାନବର,

ଅବସ୍ଥା ଏ ଚାରି  ଆସେ ଯେ ସବୁରି

  ଲୀଳା ସେ ଲୀଳାମୟର।-9


ଦିନ ରାତି ଯାଇ   ସକାଳ ହୁଅଇ

    ଋତୁ ସବୁ ଚାଲିଯାଏ,

କାଳ କ୍ରୀଡା କରେ ଆୟୁ ଘଟୁ ସରେ

   ଆଶା ବିରାମ ନଥାଏ ।10


ପୁତ୍ର କନ୍ଯା ଜାୟା  ସବୁ ଅଟେ ମାୟା

    କର୍ମାନୁସାରେ ମିଳନ,

ଯେ ଯାହା କର୍ମରେ  ଜନମ ଧରାରେ

   ମାୟାରେ ସବୁ ମୋହନ-11


ରହିଲାଣି ଦୂର   ଶାଳ ଏନ୍ତୁଡିର

    ଉଭା ଯେ ଶମନପୁର,

କି ହିସାବ ଦେବୁ ଏବେ ବିଦା ହେବୁ

  ବେଳୁ ତୁହି ଚିନ୍ତାକର।-12


ହାଟ ତ ଉଠିଲା  ଯାତ୍ରା ତ ସରିଲା

    କି ବଣିଜ ତୁ କରିଲୁ?

ଲାଭ କ୍ଷତି ସବୁ  ସମାନ ନଭାବୁ

   ମିଛ ଲାଭରେ ମଜିଲୁ।-13


ପ୍ରାଣର ଠାକୁର  ବାରେ ଦୟାକର

    ତୁମ ପାଦେ ମନ ଥାଉ,

ତୁମରି ଚରଣେ   ପଶିଲି ଶରଣେ

    ରଖ ପ୍ରଭୁ ମହାବାହୁ ।14

============


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics