ଅଦୃଶ୍ୟ ପାଚେରୀ
ଅଦୃଶ୍ୟ ପାଚେରୀ
ଅଦୃଶ୍ୟ ପାଚେରୀ
============
କେତେ ଭାବରେ କେତେ ଭାଷାରେ
ହୃଦୟକୁ ହୃଦୟରେ
ରଙ୍ଗ ଭଳି ଫେଣ୍ଟିଲେ ବି
କ୍ଷୀର ନୀର ଭଳି ମିଶେଇ ଦେଲେବି
ଅଲଗା ହୋଇ ଯାଉଥାଏ ବାରବାର
ପ୍ରତିଟି ମଣିଷ ଏସଂସାରରେ .(1)
ମନକୁ ମନର ମିଶାଇବାର
ହୃଦକୁ ହୃଦୟ ଯୋଡିବାର,
ପାହାଡ଼ ଠାରୁ ଆହୁରି ଉଚ୍ଚା
ଛିଡା ହୋଇଛି ପ୍ରତିବନ୍ଧକ ସାଜି
ସିମେଣ୍ଟ ଭଳି ଆହୁରି ମଜଭୁତ
ଅଦୃଶ୍ୟ ଅଜଣା ପାଚେରୀ ଭଳି
ରୁଗ୍ଣ ମାନସିକତା ମୁଁ"କାର
ବସିଥାଏ ଅହଂକାର ସିଂହାସନରେ
ଚାଟୁକାରୀଙ୍କ ମିଛ ସମର୍ଥନରେ .(2)
ଯେତେ ସବୁ ଧନ ଯୌବନ
ପ୍ରେମ ପୀରତି,ପ୍ରଭୁ ପଣ
ଯେତେସବୁ ପଦବୀ ଆଭୂଷଣ
ସବୁ ମିଛ ସବୁ ତୁଚ୍ଛ
ପିଣ୍ଡରୁ ପ୍ରାଣ ଗଲାପରେ
ସବୁ ଅଲୋଡ଼ା ଏ ଅସାର ସଂସାରେ.
ଯେତେ ସବୁ ମାନବିକତା,
ସଂସ୍କାର ସୁଜନତା,
ଆବେଗର ମହକ ମୈତ୍ରିର କୁହୁକ,
ହଜିଛି ସବୁ ସ୍ବର୍ଗୀୟ ଗୁଣ
ସ୍ୱାର୍ଥ ଅହମିକାର ଦୁର୍ଗନ୍ଧରେ.(3)
ପଚାରି ବୁଝ ଥରେ
ମଣିଷ ମଣିଷର ରକ୍ତକୁ,
ନଈ ଧାରା ମିଶ୍ରଣରେ ସମୁଦ୍ରକୁ
ମାଟିର ମଶାଣୀକୁ
ମୋ କାଳିଆର କଳାକୁ
ସବୁହୋଇଯାଆନ୍ତି ଏକାକାର
ତଲ୍ଲୀନ ହୁଅନ୍ତି ସମର୍ପଣରେ,
ସାର୍ଥକ ହେବ ମାନବ ଜନ୍ମ
ଫିଙ୍ଗିଦେଲେ ଯେତେସବୁ ଅହଂକାର
ଏ କ୍ଷୟିଷ୍ଣୁ ସଂସାରରେ.(4)🙏
