ତୁ ମୋ ପ୍ରଥମ
ତୁ ମୋ ପ୍ରଥମ
ବୋଉଲୋ ତୋର ମୁଁ କି ଗୁଣ ଗାଇବି ଭାଷା ନାହିଁ ମୋର ପାଖରେ
ସମସ୍ତେ ଅଛନ୍ତି ତୁ ନାହୁଁ ବୋଲି ଏକାଏକା ଲାଗେ ମୋତେରେ ।
ବୋଉ ତୁ ମୋହର ପ୍ରଥମ ବଇଦ କଲୁ ଯେବେ ତେଲ ମାଲିସି
ନିଘୋଡ଼ ନିଦରେ ଶୋଇ ପଡ଼ିଲି ମୁଁ ତୋ ସାଥୀରେ କରି ସାଲିସି ।
ବୋଉ ତୁ ପ୍ରଥମେ ହାତ ଧରି ମୋର ଚାଲି ଶିଖାଇଲୁ ଦାଣ୍ଡରେ
ବୋଉ ଲୋ ତୁ ମୋର ପ୍ରଥମ ଗୁରୁଜୀ ଭାଷା ଦେଲୁ ମୋର ତୁଣ୍ଡରେ ।
ତୋର ହାତ ଅଙ୍କା ବ୍ରହ୍ମା ବିଷ୍ଣୁ ଶିବ ମୋ ପାଇଁ ବେଦର ଓଁକାର
ସିଲଟରେ ଆଙ୍କି ଲେଖିଲୁ ତୁ ଲିପି ମୋ ପାଇଁ ବିଦ୍ୟାର ଝଙ୍କାର ।
ବୋଉ ତୋ କଣ୍ଠର ନାନାବାୟା ଗୀତ ସବୁଠୁ ମୋ ପ୍ରିୟ ସଙ୍ଗୀତ
ଭୁଲ୍ କାମ ପାଇଁ ତୋର କାନମୋଡା ଜୀବନ ପାଇଁ ମୋ ଇଙ୍ଗିତ ।
ଯେତେ ଦୋଷ ମୋର
ଧରିଛୁ ପ୍ରଥମେ ତୁ ମୋ ପ୍ରଥମ ପୁଲିସି
ଯଦିଓ କେବେ ତୁ କାହାରି ଆଗରେ କରିନୁ ମୋ ନାମେ ନାଲିସି ।
ବୋଉ ତୁ ମୋହର ପ୍ରଥମ ଘଡ଼ି ଲୋ ଶିଖାଇଲୁ ମୋତେ ଶୃଙ୍ଖଳା
ତୋର ଲାଗି ମୁହିଁ ଜୀବନ ପଥରେ ହୋଇ ନାହିଁ କେବେ ବାଉଳା ।
ବୋଉ ଲୋ ତୁ ମୋର ସଙ୍ଗାତ ବଉଳ ସବୁ ମନକଥା ପଚାରୁ
ନକହିଲେବି ତୁ ସବୁ ବୁଝିଯାଉ ଦେଖି ମୋର ମୁହଁ ଆଖିରୁ ।
ବୋଉ ତୁ ମୋହର ମଖମଲି ଶେଯ ତୋ କୋଳ ମୋହର ଝୁଲଣା
ତୋର ହାତ ରନ୍ଧା ଅମୃତ ମୋ ପାଇଁ ହେଉ ସେ ଲୁଣି କି ଅଲଣା ।
ବୋଉଲୋ ତୁ ମୋର ମମତାର ପେଡ଼ି ତୁ ମୋର ଭାଲେଣ୍ଟାଇନି
ବାହାରୁ ଆସିଲେ ପ୍ରଥମେ ବୁଝୁ ତୁ ଖାଇଛି କି କିଛି ଖାଇନି ।
ବୋଉ ତୁ ମୋହର ବଡ଼ ମହାଜନ ତୋପାଖେ ମୁଁ ଋଣୀ ରହିଛି
ନେବା କଥା ଦୂରେ ପଚାରିନୁ କେବେ କେତେ ମୁଁ ଦରମା ପାଉଛି ।
ନିଜ ପେଟୁ କାଟି ମୋତେ ତୁ ଦେଇଛୁ କରିନାହୁଁ କେବେ ଜୁଲମ
ଟିକିଏ କେଉଁଠି ଝୁଣ୍ଟି ପଡ଼ିଲେ ମୁଁ ଲଗାଇ ଦେଇଛୁ ମଲମ ।
ବୋଉ ତୁ ମୋହର ଭୂଗୋଳର ସ୍ରଷ୍ଟା ମୁକସାକ୍ଷୀ ଇତିହାସର
ବୋଉ ତୁ ମୋହର ପ୍ରେରଣାର ଉତ୍ସ ସାହିତ୍ୟ ସୃଜନୀ କଳାର ।
ତୋର ସମକକ୍ଷ କେହି ନାହିଁ ବୋଉ କେହି ନୁହେଁ ତୋର ପୂରକ
ତୋ କାନି ପଣତ ଶ୍ରୀମନ୍ଦିର ନେତ ମୋ ପାଇଁ ସେ ରକ୍ଷାକବଚ ।
ବୋଉ ତୁ ମୋହର ଗୀତା ଭାଗବତ ଦେବୀ ତୁ ମନ୍ଦିର ବେଢାର
ଯେଉଁ ଠାରେ ଥାଆ ଯେମିତି ବି ଥାଆ ଘେନାକର ମୋର ଜୁହାର ।
ବୋଉ ତୋର କଥା ଯେତେ ଲେଖିଲେ ବି କିଛି ବାକି ରହିଯାଉଛି
ଗୋଟିଏ ଦିନ ତୋ ପାଇଁ ନୁହେଁ ବୋଉ ସବୁଦିନ ହେଉ ଭାବୁଛି ।
