ଟିକିଏ ବି ବଦଳିନ
ଟିକିଏ ବି ବଦଳିନ


ଏତେ ଯୁଗ ପରେ ବି
ତୁମେ ଟିକିଏ ବି ବଦଳିନ
ନା ବଦଳିଛି ତୁମକୁ ନେଇ
ମୋର ଭାବନା ଆଉ ସ୍ୱପ୍ନ ।
ଏଇମିତି କେବେ ନିଜକୁ
ଟିକିଏ ଖାଲି କରିଦେଲେ ,
ତେଲଲୁଣର ସଂସାରରୁ ଦୂରେଇ ନେଲେ
ତୁମେ ହୃଦୟ ଭିତରୁ ଉତୁରି ପଡ଼ ।
ତୁମକୁ ନେଇ ଏ ସାଇତା ସ୍ମୃତିକୁ
ସମୟର ଡ଼ାହାଣୀ ଆଖି
କେବେ ବି ଛୁଇଁ ପାରେନି ।
ଯେମିତି ଏକ ଅଦୃଶ୍ୟ ଆଉ ଶକ୍ତ
ସୁରକ୍ଷା କବଚଟିଏ ଭିତରେ
ସାଇତି ଯାଇଛ ସ୍ମୃତି ସବୁକୁ
ଅଜର , ଅମର କରି ରଖିବାକୁ ।
ତୁମକୁ କି ତୁମ ସ୍ମୃତିକୁ ଜାବୁଡ଼ି ଧରିଲେ
ଜୀବନାଟା କେତେ ଯେ ଛୋଟ ଲାଗେ !
ଠିକ୍ ଯେମିତି ମାଘ ମାସର ଦିନ
ଆଉ ବୈଶାଖର ଶୀ
ତଳ ରାତି ପରି
ଅନୋଉ ଅନୋଉ ଅନ୍ଧାର ମାଡ଼ି ଆସେ ,
ଆଖିକୁ ନିଦ ଆସୁ ଆସୁ ରାତି ସରିଯାଏ !
ଜୟଦ୍ରଥ ପରି ଆକୁଳ ହୁଏ କି ,
ଏ ସୂରୁଜଟା ଯେଉଁଠି ଅଛି
ସେଇଠି ଅଟକି ଯାଆନ୍ତାନି ,
ରହି ଯାଆନ୍ତାନି ପୃଥିବୀଟି ଆଉ ନଘୁରି ?
ଏ ଘୁରିବା ସହ ଏ ଦେହ ମନ ବି ତ
ଘୋରି ହୋଇ ଚାଲିଥାଏ ଅହରହ ।
ଜାଣେନି ତୁମେ ଏ ଦେହ
ଆଉ ମନର ବାହାରେ କେମିତି ଲାଗ ?
ସେଇଥି ପାଇଁ ତ
ସମୟ ଆଉ ବୟସ ଗଡ଼ିଯିବାକୁ ଡ଼ରେ !
ଯଦି ଥରେ ମାତ୍ର ମିଶାଇ ପାରନ୍ତି
ଏ ଦେହ ମନ ବାହାରେ ନିଜକୁ ତୁମ ସହ
ତେବେ ତ ନିର୍ଦ୍ୱନ୍ଦରେ ନିଶ୍ଚିନ୍ତରେ
ଭାସିଯାଇ ପାରନ୍ତି
ସମୟର ବା ମରଣର ସ୍ରୋତରେ ।