ଫେରି ଯିବାକୁ ହେବ
ଫେରି ଯିବାକୁ ହେବ
ମନ ଗହିରରେ ସମ୍ପତ୍ତି କରି ସଞ୍ଚିଥିବା
ପ୍ରାକ୍ ଐତିହାସିକ ପୁରାତନ ମଧ୍ୟଯୁଗ
ଆଧୁନିକ ଉତ୍ତର-ଆଧୁନିକ ନାଁରେ
ପରସ୍ତ ପରସ୍ତ ଯେତେ ପଟୁ ସବୁକୁ
ଏବେର ସ୍ରୋତରେ ଧୋଇ ଦେଇ
ପୁଣି ଥରେ ନିର୍ବୋଧ ଶିଶୁଟିଏ ହୋଇ
ତାରି କୋଳକୁ ଫେରି ଯିବାକୁ ହବ
ତା' ଉଷୁମ୍ କୋଳରେ ମୁଣ୍ଡ ଗୁଞ୍ଜି
ଏ ରଡ଼ ନିଆଁ ହୃଦୟଟିକୁ ଶୀତଳ କରି ହବ
ତା' ଟାଉଁସିଆ ଶୁଖିଲା ହାତର ଆଉଁସାରେ
ଏ ଥମୁନଥିବା ଦ୍ୱନ୍ଦର ତୋଫାନ ନିଶ୍ଚୟ ଥମିଯିବ
ଅହରହ ନିଜ ନିଜର ବୃତ୍ତ ମଧ୍ଯକୁ ଝିଙ୍କୁଥିବା
ପ୍ରୀୟ ଅପ୍ରୀୟ ବନ୍ଧୁ ଅବନ୍ଧୁ ଭିତରୁ
ଚିହ୍ନିବାକୁ ହବ କୌରବ ଆଉ ପାଣ୍ଡବ ଦଳକୁ
ଯୁଦ୍ଧ ଛଡ଼ା ଏଠି କେହି କିଛି ଦେବେନି
ଏ ନିକିତିରେ ଦୁଇ ପାଲର ଭାର
ସବୁବେଳେ ସବୁ ସମୟରେ ସମାନ
ସେ ବିଜୟୀ ହେଉ କି ପରାଜିତ
ଶେଷରେ ଉଭୟଙ୍କ ଆସନରେ
ନିଃସଙ୍ଗତା ହିଁ ନିସ୍କଣ୍ଟକ ରାଜୁତି କରିବ ...
ତଥାପି ଯଦି ଯୁଦ୍ଧ ଅପରିହାର୍ଯ୍ୟ
ତେବେ ତ ପକ୍ଷ ବାଛିବାକୁ ହବ
ହୁଏତ ନିଜ ରକ୍ତ ବିପକ୍ଷରେ ଠିଆ ହୋଇ
ନିଜ ଦେହ ର କର୍କଟ ଖିଆ ଅଙ୍ଗଟିକୁ
ନିଜ ହାତରେ ବ୍ୟବଛେଦ କରି
ଅସହାୟ ପଙ୍ଗୁ ହେଇ ବଞ୍ଚିବାକୁ ହବ
ଆଗାମୀ ଭବିଷ୍ୟତ ର ବଂଶଧର
ପଙ୍ଗୁ ବର୍ଣ୍ଣଶଙ୍କର ହୁଅନ୍ତୁ ଫଛେ
ହୃଦୟକୁ ତାଙ୍କର କର୍କଟ ନ ବ୍ଯାପୁ
ଏଇଥି ପାଇଁ ଫେରି ଯିବାକୁ ହବ...।।
