STORYMIRROR

Prashantam Bapu

Abstract Fantasy Inspirational

4  

Prashantam Bapu

Abstract Fantasy Inspirational

ସୁଖ ସୁବିଧା କ୍ଷମତା ପାଇଁ

ସୁଖ ସୁବିଧା କ୍ଷମତା ପାଇଁ

1 min
21

 


ସୁଖ ସୁବିଧା କ୍ଷମତା ପାଇଁ କିଛି ବି କରିପାରେ 

ଘର ଅନୁଷ୍ଠାନ ଦେଶ ଧର୍ମ ସଭ୍ୟତା 

ସଂସ୍କୃତି ସାମ୍ରାଜ୍ୟ ଗଢ଼ିପାରେ ଭାଙ୍ଗି ବି ପାରେ  


ସାଦାସିଧା ମଣିଷଟିଏ ହୋଇ ବଞ୍ଚିବାଟା 

କାପୁରୁଷତା ଦୁର୍ବଳତା ଭଳି ଦିଶେ 

ତେଣୁ ହୃଦୟରେ ଲୋଭ ହିଂସା ଘୃଣା ଇର୍ଷା ଭଳି 

ସଂକ୍ରାମକ ଭୂତାଣୁ ସବୁର ବାରମାସିଆ ଚାଷ କରେ

ଏ ରେଟ୍ ରେସ୍ ରେ ନିଜ ପ୍ରତି ପର ପ୍ରତି 

ଚରମ କ୍ରୃରତାକୁ ଧର୍ମ ଯୁଦ୍ଧ ର ଟ୍ଯାଗ୍ ଦିଏ


ଏ ପଶା ଖେଳରେ ନିଶ୍ଚୟ ଦିନେ ନା ଦିନେ 

ସବୁ ହାରିବାକୁ ହେବ ଜାଣି ବି 

ସବୁ ଜିତିବା ର ଦିବାସ୍ୱପ୍ନ ଛାଡ଼ିବାକୁ ଚାହେଁନି

ବରଂ ଯୋଗପାଗ ଉଣ୍ଡି ମୁଖା ବଦଳାଏ  

ପୋଖତ ପାଟିଆର ଭଳି ଅଭିନୟ କରେ


ଏ ଯୁଦ୍ଧରେ ଏ ହାଟରେ ଯଦି କେବେ 

ଧର୍ମ ସଂସ୍କୃତି ର ଠିକାଦାର ହେବା ପାଇଁ 

ମାଆ ଭଉଣୀ ସ୍ତ୍ରୀ ଝିଅ ର ଇଜ୍ଜତ 

ନିଲାମ ଡାକିବାକୁ ହୁଏ 

ତେବେ ଯୁଧିଷ୍ଠିର ଭଳି ଅସ୍ଥିର ହେବିନି 

ନିଜ ବିବେକ ସହ ଭବିଷ୍ୟତ ର ଗର୍ଭରେ ବଢୁଥିବା

ମଣିଷତ୍ୱ ର ଅନ୍ତିମ ଭ୍ରୁଣଟିକୁ 

ନିଜ ହାତରେ ହତ୍ୟା କରିବାକୁ ହୁଏ

ତେବେ ଅଶ୍ୱଥାମା ପରି ନିଶ୍ଚିନ୍ତ ରହିବି... 


ଅନ୍ଧାରରେ ଲୁଚିଥିବା ଏ ଅସୁମାରୀ ଭୋକ ପାଇଁ  

କେବେ ତ୍ୟାଗ ବଳିଦାନ ନାଁରେ ତ

କେବେ ପୁଣି ଭିଡ଼ର ଦେବତା ସାଜିବାକୁ

କର କିମ୍ବା ମର ର ଆହ୍ବାନ ଦେଇ ଲଢ଼ିଚାଲିବି... 


ଏ ଯୁଦ୍ଧ ଏ ହାଟ ଯେତେ ଯେତେ ଲମ୍ବି ଲମ୍ବି ଯିବ

ସେତେ ସେତେ ସଭିଏଁ ଶତ୍ରୁ ପାଲଟିବେ

କ୍ଷମତା ବଳରେ ସୁଖ ସୁବିଧା ର ସମସ୍ତ ସବୁଜିମା 

ଖଣି ପାଣି ଲୁଟି ନେବା ପରେ 

କେବଳ ପୋଷା ଗୋଲାମ ସବୁକୁ ସାଥିରେ ଧରି 

ନୂଆ କେଉଁ ସ୍ୱର୍ଗକୁ ନର୍କ କରିବା ର ଯୋଜନା ଫାନ୍ଦିବି

ସେଇଠି ପୁଣି ନୂଆ ସଭ୍ଯତା ରାଜନୀତି ଦୁର୍ନୀତିର 

ସେଇ ପୁରୁଣା ଚିରାଚରିତ ଢାଞ୍ଚାରେ ଶିଳାନ୍ୟାସ ହେବ

ଯେଉଁଠି ସବୁ କିଛି ରହିବ ନିଜ ଅକ୍ତିଆରରେ

ସୁଖ ସୁବିଧା କ୍ଷମତା ହାତେଇବା ର ଏ ଅଛିଣ୍ଡା ଖେଳରେ

ବାଧା ଦେବାକୁ ଶ୍ରୀଧର କି ଶକୁନି କେହି ନଥିବେ ।



Rate this content
Log in

Similar oriya poem from Abstract