ଟିକିଏ ଆଶା
ଟିକିଏ ଆଶା
ଆମ୍ବଗଛର କୋରଡ଼ରେ
ହୁଁ ହୁଁ ଶୁଭେ କପୋତୀର ସ୍ୱର
ପାଖେଇ ଆସୁଛି ସମୟ
ଅଣ୍ଡା ଫୁଟିବାର ବେଳ ,
ଭୟ ତାହାର କାଳ ବୈଶାଖୀକୁ
କ୍ଷଣିକ ଜୀବନେ
ମନତା ଅସ୍ଥିର
ଅପେକ୍ଷା ମାତୃତ୍ୱର।
ତୃଷ୍ଣା କେବେ ସମୟ ଦେଖେନା
ବେଳକାଳ ବି ବୁଝେନା
ତପ୍ତ ନଦୀ ଶଯ୍ୟାର ପ୍ରାନ୍ତରେ
ବାଲି ମାଟି ତାତିଯାଏ
ମଧ୍ୟାହ୍ନ ପ୍ରହରେ।
ନଦୀଘାଟ ପାଖ ପଡ଼ାର ମାଉସୀ
ଖାଲି ପାଦେ ଯାଏ ନଦୀ
ଦୈଵକୁ ଭରସି,
ମାଠିଏ ପାଣିରେ ଅନେକ ଆଶା
ତେଲଲୁଣ ସଂସାରେ ତା'ର
ନିଜେ ସାଜିଛି ସେ ସାହାଭରସା ।
କୃଷକ କୋଦାଳର ଠନ୍ ଠନ୍ ଶବ୍ଦ
ଅକ୍ଷିତୃତୀୟାରେ ଅକ୍ଷୀମୁଠି ଅନୁକୂଳେ
ଧାନ ବୁଣଇ କ୍ଷେତ।
ଆଶାରେ ଦେଖେ ସେ ଧଳା ବଉଦ
ବାଦଲ ଖଣ୍ଡରେ ସବୁ ଭରସା ।
କେବେ ଝରିବ ସେ ଆଷାଢ଼ ମୁକ୍ତା
ସଞ୍ଜରେ ଜଳଇ ସଞ୍ଜ ବଳିତା
ଆକାଶ ତାରା
ଝାଞ୍ଜି ପବନ ବହେ ସଂସାର ସାରା।
ଅତି ଯନ୍ତ୍ରଣା ସେ ଗ୍ରୀଷ୍ମପ୍ରବାହ
ଶୀତଳ ପବନେ ଆଶ୍ୱସ୍ତ ପ୍ରାଣ
ଚାତକ ବୁଲଇ ଶୂନ୍ୟ ଆକାଶେ
ଶୋଷ ତା' ମେଣ୍ଟଇ ଆକାଶ ନିରେ।
ଗରୀବଙ୍କ ଅଗଣାରେ
ମୁଣ୍ଡରେ ଖରା ତୁଣ୍ଡରେ ଶୋଷ
ଧୈର୍ଯ୍ୟର ପାହାଡ଼ ପରେ
ଛୁଇଁ ଯାଏ ପ୍ରାକୃତିକ ସ୍ପର୍ଶ।
