ଗଛ ଦେବତା
ଗଛ ଦେବତା
ଶୁଣ ଶୁଣ ପିଲେ
କହୁଛି ତମକୁ ଗୋଟିଏ କଥା
ସବୁରି ଭିତରେ ଜୀବନଟେ ଅଛି
କାହାରି ମନରେ ନ ଦେବ ବ୍ୟଥା ।
ହେଉ ବୃକ୍ଷଲତା
ଅବା ପଶୁ ପକ୍ଷୀ ସମସ୍ତ ଜୀବ
ସକଳ ଘଟରେ ବିଜେ ନାରାୟଣ
ଏ କଥାଟି ବାବୁ ଭୁଲି ନ ଯିବ ।
କାଟିବନି ଗଛ
ଭାଙ୍ଗିବନି ଡାଳ ଅବା ପତର
ଛାଲିବନି କେବେ ଗଛର ଛାଲକୁ
ବହିଯିବ କେତେ ରକତ ଧାର ।
ଫୁଲ ଫଳ କେତେ
ଦିଏ ପୁଣି ଗଛ ଶୀତଳ ଛାଇ
କେତେ ବଣ ଜାତ ଦରବ ମିଳେରେ
କେତେ ଓଉଷଧି ଜୀବନ ପାଇଁ ।
ଏଇ ଗଛ ଆମ
ପରିବେଶ ବନ୍ଧୁ ରଖେ ଜୀବନ
ନିଜେ ଶୋଷି ନେଇ ଅଙ୍ଗାରକାମ୍ଳକୁ
ବାଣ୍ଟିଦିଏ ଯେତେ ଅମଳଜାନ ।
ଗଛ ଚେର ପୁଣି
ବାନ୍ଧି ରଖେ ମାଟି ହୁଏନା ଧୋଇ
ବନ୍ୟା ବାତ୍ଯା କେତେ ପ୍ରକୃତିର କୋପ
ଶାନ୍ତ ହୋଇଯାଏ ଗଛଟି ପାଇଁ ।
ଦିନକୁ ଦିନ ତ
ଉତ୍ତାପ ବଢୁଛି ଝରୁଛି ଲୁହ
ଥୁରୁ ଥୁରୁ ଜାଡ ଆଉ ତ ନାହିଁ ରେ
କମୁଛି ବରଷା ଶୀତର ମୋହ ।
ସବୁଜ ସବୁଜ
ଲାଗୁନି ମହୀରେ ଲାଗୁନି ମହୀ
ଶିରୀହୀନ ଲାଗେ ଚଉଦିଗ ଯାହା
ନିଜ ସ୍ବାର୍ଥେ ଆମେ ଯାଇଛୁ ରହି ।
ମନେ ରଖିବାରେ
ଗୋଟିଏ କଥା ତ ମନେ ରଖିବା
ନିଜ ସ୍ବାର୍ଥ ପାଇଁ ବଂଚିବାନି ଆମେ
ଅନ୍ୟ ସ୍ବାର୍ଥ କଥା ଚିନ୍ତା କରିବା ।
ଖୋଲା ଜାଗା ଦେଖି
ଲଗାଇବା ଚାରା ଦେବା ବାରତା
ବୃକ୍ଷ ହିଁ ଜୀବନ ପରାଣର ମିତ
ସିଏ ପରା ଆମ ଗଛ ଦେବତା ।
------------------
ଶରତ କୁମାର ଦାସ
