ଗଛ ମୁଁ କହୁଛି
ଗଛ ମୁଁ କହୁଛି
ହେ ବାଟୋଇ ଭାଇ ! କହୁଅଛି ଯାହା
ଥରେ କାନ ଡେରି ଶୁଣ
ଫଳ, ଫୁଲ, ଜାଳ, ପ୍ରାଣ ବାୟୁ ଦେଇ
ବଞ୍ଚାଇଛି ତୋ ଜୀବନ l
ଥିଲି ଦିନେ ଛୋଟ ଦୁଇ ପତରରୁ
ବଢ଼ି ହୋଇଛି ବିରାଟ
କେତେ ପଶୁ, ପକ୍ଷୀ ବସା ମୋ ଦେହରେ
ଛାଇରେ ବସଇ ହାଟ l
କେତେ ଝଡ଼ ଝଞ୍ଜା ଆସିଛି ଯାଇଛି
ସହିଛି ମୁଁ ମଥା ପାତି
ତୋ ଘର ଦୁଆର ହେବା ପାଇଁ ଗଢ଼ା
ପତାଇ ଦେଇଛି ଛାତି l
ତୋ ଯତନ ପାଇଁ ସଦା ମୁଁ ଚେଷ୍ଟିତ
ରହିଅଛି କାଳେ କାଳେ
ମେଣ୍ଟାଇବା ପାଇଁ ତୋ'ର ଭୋକ, ଶୋଷ
ନ ରଖି କୁଣ୍ଠା ତିଳେ l
ଅବିଚାର କରି ଜାଳୁଛୁ, ପୋଡୁଛୁ
ହାଣିଦେବା ତ ସହଜ
ବୁଡ଼ିଲେ ମୋ ବଂଶ ତୁ ହେବୁ ନିରାଶ
ମୋ କଥା ମନରେ ହେଜ l