ତଥାପି ସ୍ୱାଧିନ କହୁ
ତଥାପି ସ୍ୱାଧିନ କହୁ
ହେଇ ଦେଖ ମୁକ୍ତି ଗୁମୁରି କାନ୍ଦୁଛି ନିଜର ଅସ୍ତିତ୍ୱ ଖୋଜି
ନାରୀ ନୟନର ଉଷୁମ ଲୁହରେ ନିଜ ଅନିଚ୍ଛାରେ ଭିଜି ।
ସଂସ୍କାର ବେଡିରେ ସଂସ୍କୃତି ଆଳରେ ନାରୀର ଜୀବନ ବନ୍ଦୀ
ପ୍ରତିଭା ପ୍ରଭାବ କାହିଁ ନିରର୍ଥକ ନିରାଶରେ ହୁଏ ଛନ୍ଦି ।
ବିକଶିତ ପଥ ସୁଗମ ହୁଏନା ରହିଯାଏ କିଛି କିନ୍ତୁ
ଦୂର ପରଵତ ସୁନ୍ଦର ଦିଶୁଛି ସରବେ ମୋହରେ ମାତୁ ।
ମାତୃତ୍ୱ ଶଙ୍କିତ ନୀଚ୍ଚ ଭାଵନାରେ ଝିଅ ଜନ୍ମ କାଳେ ବୋଝ
ଭ୍ରୂଣରୁ ନିଶ୍ଚିହ୍ନ ହୋଇଯାଏ କିଏ ଶିକ୍ଷିତ ସମାଜେ ଆଜ ।
ସୁରକ୍ଷା ଖୋଜୁଛି ଵାଳା ଠାରୁ ବୃଦ୍ଧା କାମୁକ ରାକ୍ଷସ ପାଇଁ
କେତେବେଳେ କିଏ ଶିକାର ହେଉଛି ଜୀବନ ଭରସା ନାହିଁ ।
ନାରୀ ଯେ ସ୍ୱାଧୀନ ନାରୀ ନୁହେଁ ନ୍ୟୁନ ନାରୀଦେବୀ ମହନୀୟା
ଏ ସତ୍ୟ ପ୍ରଶ୍ନରେ ଆନ୍ଦୋଳିତ ମନ ଏ କିବା ମୁକ୍ତିର କାୟା ।
ନାରୀ ସ୍ୱାଧୀନତା ବଳି ପଡ଼ିଯାଏ ତଥାପି ସ୍ୱାଧୀନ କହୁ
ଲଢ଼ିବାକୁ ହେବ ଜୀଵ ଥିବା ଯାଏଁ ଢାଳି ନିଜ ଲୁହ ଲହୁ ।