ଠାକୁର କରନ୍ତି ଓ
ଠାକୁର କରନ୍ତି ଓ
ଭକ୍ତିରେ ଥରୁଟେ ଡାକଦେଲେ ପରା ଠାକୁରେ କରନ୍ତି ଓ..ଓ,
ଭକ୍ତି ନାହିଁ ଯହିଁ ସେବା ପୂଜା କଲେ ବନ୍ଧୁ ସେ ନୋହିବେ ତୋ ।
ଭକ୍ତି ଭାବେ ଦିନେ ଦାସିଆ ଡାକିଲା ତା' ନଡ଼ିଆ ଗଲେ ନେଇ,
କୃଷ୍ଣ କୃଷ୍ଣ ହୋଇ ମୀରାବାଇ ପରା ହସି ବିଷ ଦେଲେ ପିଇ ।
ସାଲବେଗ ଦିନେ ଭକ୍ତିରେ ଡାକିଲା ସାତଶ ପଚାଶ କୋଶୁ,
ଦାଣ୍ଡେ ଅଟକିଲା ନନ୍ଦିଘୋଷ ରଥ ଗଡ଼ିଲା ସେ ଆସୁ ଆସୁ ।
ଭକ୍ତ ଜଣେ ତାଙ୍କ ବାଲି ଗାଆଁ ଦାସ ବାଲିରେ ଗଢ଼ିଲା ରଥ,
ସେ ରଥରେ ପରା ବିଜେକଲେ ଆସି ଆପେ ସ୍ୱୟଂ ଜଗନ୍ନାଥ ।
ଭକ୍ତିରେ କୃଷ୍ଣଙ୍କୁ ଡାକୁଥିଲେ ବୋଲି ପାଣ୍ଡବେ ଜିଣିଲେ ରଣେ,
କେତେ ବିପଦରୁ ଉଦ୍ଧାର ପାଇଲା ପ୍ରହ୍ଲାଦ ବୋଲିକି ଜଣେ ।
ଶବରୀମାତାର କୋଳି ଖାଇ ରାମ ଯାଚି ଦେଲେ ସ୍ୱର୍ଗସୁଖ,
ଜନ୍ମ ମୃତ୍ୟୁ ଚକ୍ର ଦୂର ହୋଇଗଲା ଚାହିଁଲାରୁ ତାଙ୍କ ମୁଖ ।
ସବୁଠୁଁ ସହଜ ଶ୍ରେଷ୍ଠ ମାର୍ଗ ଅଟେ ଜାଣ ଏହି ଭକ୍ତିଯୋଗ,
ସେ ମାର୍ଗରେ ଚଳି ପ୍ରଭୁ କୃପା ପାଅ ବିଶ୍ୱକଲ୍ୟାଣରେ ଲାଗ ।