STORYMIRROR

Debadatta Jena

Romance Tragedy Action

3  

Debadatta Jena

Romance Tragedy Action

ତୃପ୍ତି

ତୃପ୍ତି

1 min
329

ହଁ,ତୃପ୍ତି..

ତୁମେ କଣ ହୋଇ ପାରନ୍ତନି

ଏ ଜନ୍ମ ମୃତ୍ୟୁ,ଜାରା ବ୍ୟାଧି, ଦୁଃଖ ଶୋକର

ବିବର୍ତ୍ତନର ବହୁ ଉପରେ,

ତୁମେ କଣ ହୋଇ ପାରନ୍ତନି,

ଏ ହସ କାନ୍ଦ,ନିନ୍ଦା ପ୍ରଶଂସା,ଲୁହ ଓ ଲହୁର

ସ୍ୱ ସନ୍ଦିହାନର ଉର୍ଦ୍ଧରେ,

ତୁମେ କଣ ମୁକୁଳି ପାରନ୍ତନି,

ଏ ହିଂସା ଦ୍ୱେଷ,ଯାତନା ତାଡନାର ଅବ୍ୟକ୍ତ

ଯାବତୀୟ ମୋହ ମାୟାର

ସଂଜ୍ଞାନ ସେପାରେ,

ଯେଉଁଠି ଭୂଲି ହେଇ ପାରନ୍ତା,

ତୋର ମୋର,ପର ଆପଣାକୁ ଜାବୁଡି ଧରିଥିବା

କିଛି କୁଣ୍ଠିତ ଅଵଗୁଣ୍ଠନର ଲୋଭ,

କିଛି କାମନା ବାସନା ରୂପୀ ମୋହଗ୍ରସ୍ତ

ଆଶା ଆକାଂକ୍ଷାର ସମ୍ମିଳିତ କ୍ଷୋଭ,

ନିସ୍ତାର ପାଆନ୍ତା କେଉଁ ଅପରିସୀମ ସନ୍ଧିକ୍ଷଣରେ,

ଏକାକାର ହୋଇ ଯାଆନ୍ତା କେଉଁ

ଯାନ୍ତ୍ରିକ କ୍ଷୁଧା ପରିତୃପ୍ତି ସମର୍ପଣରେ..!

ସତରେ ତୃପ୍ତି..

ଏମିତି ଯଦି ହୋଇ ପାରନ୍ତା ନା,

ତେବେ ତୁମେ ଆଉ ମୁଁ..

ନାଁ ଥାଆନ୍ତେ କେଉଁ ଆକାରରେ ଅବା

କେଉଁ ସାକାରରେ, ଥାଆନ୍ତେ ତ

କେଉଁ ଅନିର୍ବଚନୀୟ ପିପାସାର 

ନିର୍ବିକଳ୍ପ ନିରାକରରେ,

ଥାଆନ୍ତା କିଛି ଶୋଚନା,ନାଁ ଅନୁଶୋଚନା

ଆମର ଏ ଶରୀର ରୂପୀ ଖୋଳପା

ଭିତରେ କିଛି ରହି ପାରନ୍ତା ଇର୍ଷା ଓ 

ଅସୂୟାର ବେଦନା ଧର୍ମୀ

ବିଭେଦାୟନ, ଆମ ଏ ଅସ୍ତିତ୍ୱରେ,

ନାଁ ଥାଆନ୍ତା କିଛି ପୋଷାକ ପରିଚ୍ଛଦ,

ନାଁ କେଉଁ ବିଳାସ ସାମଗ୍ରୀ,

ଅମୂଲ୍ୟ ପ୍ରସାଧନ,ପ୍ରବୋଧନ,

ଏ ଚର୍ମ ଆଚ୍ଛଦିତ କାୟା ଉପରେ,

ନିରାକାର ଓ ନିର୍ବିକାରରେ..!

ଆଉ ହଁ..

ମୁଁ ଆଉ ତୁମେ..

ଦୁହେଁ ଦୁହିଁଙ୍କୁ ଦେଖି ପାରନ୍ତେ,

ଆମ ପ୍ରତି ଆବାହନ ଓ ସମ୍ବୋଧନରେ

ମହକିତ ହୋଇ ଉଠାନ୍ତା ଆମ ଚତୁର୍ପାଶ୍ୱ,

ନ ଥାନ୍ତା କିଛି ମିଥ୍ୟା ଅପବାଦ,

କିଛି ଵି ନ ଥାନ୍ତା ରହସ୍ୟ କି ଗୋପନ,

ନିର୍ବିବାଦରେ, ନିରନ୍ତରରେ,

ନାଁ ରହନ୍ତା କିଛି ନିନ୍ଦା ଅପବାଦର ଭୟ,

ନାଁ ରହନ୍ତା କେଉଁ ବୃଥା ଅପଚେଷ୍ଟା,

ଅଭାବ ପ୍ରଭାବର ଅସମ୍ଭବ ବ୍ରିଡ଼ା,

ବେଦନା, ପ୍ରତିବେଦନା, ଆମର ଏଇ 

କ୍ରୁର ପ୍ରଚେଷ୍ଟାରେ, ପ୍ରଯତ୍ନରେ..!

କଣ କହୁଛ..

ତୁମେ କଣ ସ୍ୱତନ୍ତ୍ର ହୋଇ ପାରନ୍ତନି,

ଏ ସ୍ପର୍ଶ,ରୂପ,ରସ,ଗଂଧର ବିକ୍ଷୁବ୍ଧ,

ବଳିଷ୍ଠ ବାହୁ ବନ୍ଧନର ମୁକ୍ତିରେ,

ତୁମେ କଣ ନିଜକୁ ନିର୍ବାସିତ

କରିପାରନ୍ତନି ଏଇ ଯେଉଁ 

ଅତୃପ୍ତ ଅବ୍ୟକ୍ତ କାମନା ବାସନାର

ଅବଦମିତ ମୋକ୍ଷତ୍ବରେ,

ତୁମେ କଣ ଅପ୍ରଭାବିତ ରହି ପାରନ୍ତନି 

ଏ ଦିବସ ରଜନୀ,ପ୍ରଦୋଷ ପ୍ରତ୍ୟୁଷର

ଅସମ୍ଭବ ପ୍ରକାର ଭେଦରେ,

ଅନ୍ଧ ଅହମିକାରେ,ଅଭ୍ୟନ୍ତରରେ,

ଏଇ ଅନ୍ତରାତ୍ମାରେ..!

ଯେଉଁଠି ତୁମ ମୋ ଭିତରେ ନ ଥାନ୍ତା

କିଛି ଅସୂୟା, ଅଶାନ୍ତିର ପ୍ରଶ୍ନ ଚିହ୍ନ,

ନ ଥାନ୍ତା ସମୟକୁ ଖୁବ୍ ତନ୍ନ ତନ୍ନ କରି 

ଭାଗ ଭାଗ କରିବାର ବିଭକ୍ତ

ଅପ୍ରସନ୍ନ,ଅସୀମ ଅବୁଝା ପଣ,

ନାଁ କେଉଁ ପ୍ରଲୁବ୍ଧ, ପ୍ରପଞ୍ଚର ବିରହିତ

ବାସ୍ନା, ତୁମ ମୋ ଭିତରେ,

ଅନାୟାସରେ, ନିରାକାରରେ,

ବାସ ତୁମେ ମୁଁ ଥାନ୍ତେ,

ଅଶରୀର ତ ନୁହେଁ, ତଥାପି

ନିଃଶରୀରର ବହୁ ଉର୍ଦ୍ଧରେ,

ପାପ-ପୁଣ୍ୟ,ମୋକ୍ଷ-ମୁକ୍ତି 

ପ୍ରାପ୍ତି ଅପ୍ରାପ୍ତିର ବହୁତ ଉର୍ଦ୍ଧରେ..!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance