ତ୍ରାହି ଜଗନ୍ନାଥ
ତ୍ରାହି ଜଗନ୍ନାଥ
ରାତି ନ ପାହୁଣୁ ଆସିଥିଲି ଧାଇଁ
ସକାଳ ଆଳତୀ ଦେଖିବି ବୋଲି
ହୋଇବ ଠାକୁର ଏମିତି ନିଷ୍ଠୁର
ଭାବି ତ ନଥିଲି ଯିବ ବଦଳି ।
ବୁଝି ହୁଏ ନାହିଁ କିଏ ସେ କାହିଁକି
କେଉଁ ଧର୍ମଶାସ୍ତ୍ର ପୁରାଣ ପଢି
ଭକ୍ତ ଭଗବାନ ମଧ୍ଯରେ ପ୍ରାଚୀର
ଗୁପ୍ତେ ଅନ୍ତରାଳେ ପକାଏ ଗଢି
ଲାଗେ ଲମ୍ବା ଧାଡି ଭକ୍ତ ଛାଡେ ରଡି
ତ୍ରାହି ଜଗନ୍ନାଥ ପକାଏ ହୁରି ।
ଚକା ନୟନରେ ପଡେନି ପଲକ
ଦୃଢ ସୁବିଶ୍ବାସ ରଖିଛି ଭକ୍ତ
ଟେକି ଦୁଇ ବାହୁ ଆସ ଆସ ବୋଲି
ଡାକେ ମହାପ୍ରଭୁ ଜଗତନାଥ
କାହିଁକି ଦର୍ଶନ ଅଭିଳାଷୀ ପଥ
କରୁଅଛି ରୋଧ ଲୌହ ଅର୍ଗଳି ।
ଅର୍ଗଳି ଦୁଆରେ ପକାଇ ଶିକୁଳି
ଦିଆଯାଉଅଛି ପ୍ରହରା କଡା
ନିରୂପାୟ ଭକ୍ତ ହୁଏ ଛଟପଟ
ଟେକି ଦୁଇ ହାତ ହୁଅଇ ଛିଡା
ଶାସ୍ତ୍ରବିଧି ଲଙ୍ଘି ଉଚ୍ଛନ୍ନ ସଂସ୍କୃତି
ସଙ୍କଟରେ ଧର୍ମ ଛାଡେ ବୋବାଳି ।
ଶୃଙ୍ଖଳା ନାମରେ ବଡ ବିଶୃଙ୍ଖଳା
ଚାଲୁଅଛି ମିଛ ଛନ୍ଦ କପଟ
ସାହାଣ ଭିତର ପଡିଯାଏ ତାଟ
ବାଘ ଘରେ ଚାଲେ ମିରିଗ ନାଟ
କାନ୍ଦେ ଭକ୍ତ ହୃଦେ ବସି ଭଗବାନ
ଆଖି ଲୁହ ତାର ପଡଇ ଝରି ।
ଶ୍ରୀ ପୁରୁଷୋତ୍ତମ ଅଟେ ମୁକ୍ତି ଧାମ
ଦାରୁଦିଅ ତାର ପରମ ବ୍ରହ୍ମ
ଚତୁର୍ଦ୍ଧା ମୂରତି ଦରଶନ ଲାଗି
ଖୋଲୁ ଚାରି ଦ୍ବାର ନୋହୁ ବିଳମ୍ବ
କୃପାକର ପ୍ରଭୁ ନିସ୍ତରୁ ଭକତ
ବଡଦାଣ୍ଡ ଧୂଳି ମୁଣ୍ଡରେ ବୋଳି ।।
