ତିମିରାଛନ୍ନ
ତିମିରାଛନ୍ନ
“କରୋନା” ଖେଳୁଛି ବୁଲି ବୁଲି ଚକା ଭଉଁରୀ
ଦେଖି ତା ସାମର୍ଥ୍ୟ ମୁଣ୍ଡ ଯାଉଅଛି ଘୁରି l
ହସିବାକୁ ଇଚ୍ଛା ଥିଲେ ବି ଆଜି
ହସିବାକୁ ଖୋଜି ପାଉ ନାହିଁ କାରଣ l
ଚତୁର୍ଦିଗ ଦେଖି କେବଳ ଭାବୁଛି
ସତରେ ଲୀଳା ତୁମ ଅବିସ୍ମରଣ l
ସାରା ବିଶ୍ଵର ଆଖି ନିବଦ୍ଧିତ ଆଜି ତୁମ ଉପରେ
କିଛି କରିଦେଇ ପାର ଚମତ୍କାରିତା,
ତୁମ ଗଢା ଏଇ ସୃଷ୍ଟିରେ l
କୁହ ବିଧବାର ନିସ୍ତେଜ ସିନ୍ଦୁର
କେବେକି ପାରିବ ଆଉ ହସି !
ଭାତୃହରା ଭଗ୍ନିହରା ଖୋଜି
ପାଇବାକି ଆଉ ତାର ଖେଳ ସାଥୀ !
ଲୁହର ବନ୍ୟାରେ ଉବୁଟୁବୁ ହୋଇ
ସନ୍ତରୀ ପାରିବେକି କେବେ କେହି l
ରକ୍ଷାକର ଜଗଦୀଶ ଏ ଶବ୍ଦ ଶୁଭୁଛି
କର୍ଣପଟେ ଅହରହ ରହିରହି l
ଏଡ଼େଇ ଯିବାକୁ ଚେଷ୍ଟା କରି ଆଗେଇ ଯିବାର,
ରାସ୍ତା କରି ଦେଉଅଛ ସବୁ ବନ୍ଦ l
ଆଖି ଥାଉ ଥାଉ ସବୁ ଦେଖି ଦେଖି
କିପରି ପାଲଟି ଯିବ ଜଣେ ଅନ୍ଧ l
ଦୁଃଖକୁ ବାଦ ଦେଇ ସୁଖକୁ କେବଳ
ସାଉଁଟି ନେବା କେବେ ସମ୍ଭବ ନୁହେଁ l
ଦୁଃଖ ଦେଖି ଦେଖି ସୁଖକୁ ଭୋଗିବା
କୁହକି କେବେ ସହଜ ହୁଏ l
ତୁମେ ହିଁ କୁହ ଯୋଉଠି ଅଛ, ଯେମିତି ଅଛ
ସବୁ ଦେଖି ଶୁଣି ଆରାମେ ବସି l
କାହାକୁ ଦେଖି ମୁଁ କି ଦେଖି ସଂସାରେ ଆଉ
ଖୁସିରେ ଲୋଟିଯିବି ହସି ହସି l