ଥୁଣ୍ଟାଗଛର ପ୍ରେମ
ଥୁଣ୍ଟାଗଛର ପ୍ରେମ
ଥୁଣ୍ଡାଗଛଟେ ମୁଁ ସବୁଜ ଦେହର
ସପନ ଦେଖିଲି କିଆଁ
ତୋ' ଦେହକୁ ଛୁଇଁ ମଳୟ ବହିଲା
ଜାଳି ଦେଇଗଲା ନିଆଁ I
ଜାଳିବାକୁ ଯଦି ଚାହୁଁଛୁ ଲୋ ସଖୀ
ପତାଇ ଦେଉଛି ଛାତି
ଜଳିବାର ସେଇ ମଧୁର ଯନ୍ତ୍ରଣା
ଭୋଗିବା ହିଁ ମୋର ପ୍ରାପ୍ତି I
ଆଲୁଅରେ ତୋତେ ଦେଖିଛି କେତେ ମୁଁ
ଅନ୍ଧାରେ ବି ଦେଖେ ନିତି
ତୋ'ଦୁଃଖେରେ ଦୁଃଖୀ ହୋଇଗଲେ ମନ
ଦୁଃଖେ ବିତେ ଦିନ ରାତି I
ପ୍ରେମ ହିଁ କେବଳ ଲୁହର ତଟିନୀ
ମରମ ସାଗର ତଟେ
ତୋ'ପ୍ରେମ ଲୋ ସଖୀ ମୋପାଇଁ ମହାନ
ଫୁଲଫୁଟେ ଚଲା ବାଟେ I
ତୋ' ଆଦର ଅବା ଅନାଦର ତୋର
ସବୁଥିରେ ମୋର ଖୁସି
ସତକହ ଥରେ ଦୁଃଖଦେଇ ମୋତେ
ପାରିବୁ କି ଟିକେ ହସି I
ଏତିକି ଜାଣିଛି ଭଲ ମୁଁ ପାଉଛି
ଦେଉଥା ସୁଖ କି ଦୁଃଖ
ତୋ' ମଙ୍ଗଳ ସଦା ମନାସୁ ଥିବି ଲୋ
ଦେଖି ଦେଖି ତୋର ମୁଖ I
