ଥୁଣ୍ଟା ଗଛ
ଥୁଣ୍ଟା ଗଛ
ଥୁଣ୍ଟା ଗଛ ଆଜି ଖୁଣ୍ଟା ହୋଇଗଲା
ଡାଳ,ପତ୍ର ହୀନ ହୃତ ମହକ
ତଥାପି ଭାବୁଛି ଦେବାକୁ ଅନେକ
ମିଟି ନାହିଁ ତାର ତ୍ୟାଗର ଭୋକ ।
ସପନ ଶ୍ମଶାନେ ବାହୁନି କାନ୍ଦୁଛି
ଯନ୍ତ୍ରଣା ପୀଠରେ ସ୍ମୃତିର ସ୍ତବ
ମନ ତଳେ ତାର ସମର୍ପି ଦେବାର
ଅବ୍ୟକ୍ତ ଶବ୍ଦର ବ୍ୟକ୍ତ ଆବେଗ ।
ଥୁଣ୍ଟା ଶରୀରଟା ସ୍ମୃତିରେ ଭିଜୁଛି
ନୀରବତା ମଧ୍ୟେ ପକ୍ଷୀ କାକଳୀ
ସନ୍ତୋଷ ସାଉଁଟା ମୁହୂର୍ତ୍ତ ଖୋଜୁଛି
ପାଶେ ଖାଁ ଖାଁ ଶବ୍ଦ ବୋବାଳି ।
ସ୍ମୃତି ରେ ଖୋଜୁଛି ପକ୍ଷୀର କାକଳୀ
ଶୀତଳ ଛାଇରେ ସନ୍ତୋଷ ଶ୍ଵାସ
କେତେ ହଟଗୋଳ କେତେ ମଧୁମେଳ
ଶାନ୍ତିର ମହଲ ପବିତ୍ର ହସ ।
ଥୁଣ୍ଟା ଗଛ ମୂଳେ ସବୁଜ ସମାଧି
ନିରସ ଡାଳର ବିରସ କଥା
ପ୍ରୀତି ଆଞ୍ଜୁଳୀରେ ଆଞ୍ଜୁଳେ ନିରାଶା
ଅପାରଗତାର ଚ଼ରମ ବ୍ୟଥା ।
