ଆଞ୍ଜୁଳାଏ ସୁଖ
ଆଞ୍ଜୁଳାଏ ସୁଖ
ଆଞ୍ଜୁଳାଏ ସୁଖ ସାଉଁଟିବା ପାଇଁ
ନିତ୍ୟ କରୁଥାଏ ଆଶା l
ବିଦଗ୍ଧ ପରାଣ ସହଇ କଷଣ
ପରିପ୍ରକାଶେ ନାହିଁ ଭାଷା ll
ମେରୁଦଣ୍ଡ ସିନା ନଇଁପଡେ ତାର
ବିଶାଳ କୁବ୍ଜକୁ ବୋହି l
ଦମ୍ଭଯେ ତାହାରି ବଜ୍ରପରି ଟାଣ
ବାଧାବିଘ୍ନ ସବୁ ସହି ll
ଶରୀର ଭାରିଠୁ ପରିବାର ଭାର
ଯାଉଥାଏ ତାର ବଳି l
ଆତ୍ମୀୟଙ୍କ ମୁଖେ ଯୋଗାଇବି ଅର୍ଣ୍ଣ
ବିତୁଥାଏ ଦିନ ଭାଳି ll
ଅବେଳରେ ପିତା ଛାଡି ଚାଲିଗଲେ
ତାପରି ଅଭାଗା କେହି?
ବୋଝ ବୋହିବାକୁ ଅଟେତାର ଜନ୍ମ
ସତେକି ଲେଖିଛି ବିହି ll
ଯାତନା କଷଣ କରିଣ ଭୂଷଣ
କରୁଥିଲା ତାର କର୍ମ l
ସିଲେଇ କରିଣ କରଇ ପ୍ରତିପୋଷଣ
ଶିକ୍ଷାକ୍ଷେତ୍ରେ ଭାରି ନାମ ll
କେତେଯେ ରଜନୀ ବିତିଗଲା ତାର
ନିରତେ ଲୋତକ ପିଇ l
ଖୁସିର ଉଲ୍ଲାସେ ଭରିଗଲା ପ୍ରାଣ
ଚାକିରୀ ଖଣ୍ଡିଏ ପାଇ ll
କେତେଅବା ଦୁଃଖ ଦେବଜେ ଦଇବ
ଏଇଯେ ଆନନ୍ଦର ଶୁଭାରମ୍ଭ l
ଭୁଲିଯାଇ ସର୍ଵ ଦୁର୍ଦ୍ଦିନକୁ ମୋର
କରିବି ନବ ଆରମ୍ଭ ll
ଖୁସିପୁଷ୍ପ ତାର ବିକଶିବା ଆଗୁ
ଅଦିନରେ ପଡେ ଝରି l
ଆଞ୍ଜୁଳାଏ ସୁଖ ସାଉଁଟିନ ହେଲା
କାଳଆଗେ ଗଲା ହାରି ll
